ଜମ୍ମୁ କଶ୍ମୀରରେ ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ 

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। କଶ୍ମୀରର ବଡ଼ଗାମ୍‌ ଏବଂ ବାରମୁଳା ଜିଲ୍ଲାରେ ଦୁଇଟି ପୃଥକ୍‌ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ବଡଗାମ୍‌ର ପାଖେପୁରା ଅଞ୍ଚଳ ନିକଟସ୍ଥ ଫୁଲତିପୁରା ଗ୍ରାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବର୍ଷା ହୋଇଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୁଲିସର ଏକ ମିଳିତ ଦଳ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଖାନତଲାସ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମଧ୍ୟ ଜଣେ ସେନା ଯବାନ ଆହତ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏହି ଆତଙ୍କବାଦୀ ନିପାତ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାପାଇଁ ଚେଷ୍ଟା କରିଥିବା କିଛି ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାକୁ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାଯାଇଛି। ସେହିଭଳି ବାରମୁଳା ଜିଲ୍ଲାର ସୋପୁର ଅଞ୍ଚଳର ବୋମାଲିରେ ଅନ୍ୟ ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଜାରି ରହିଛି।

ଚଳିତବର୍ଷ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି

ଜମ୍ମୁ କଶ୍ମୀରରେ ଚଳିତବର୍ଷ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ନିପାତ ଅଭଯାନରେ ୭ ବର୍ଷରେ ଜମ୍ମୁ କଶ୍ମୀରରେ ପ୍ରଥମ ଥର ଲାଗି ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ କଶ୍ମୀର ଡିଜିପି ଏସପି ବୈଦ କହିଛନ୍ତି। ଜମ୍ମୁ କଶ୍ମୀର ପୁଲିସ, ସେନାବାହିନୀ, ସିଆରପିଏଫ, ସିଏପିଏଫ ଏବଂ କଶ୍ମୀର ବାସିନ୍ଦାଙ୍କ ମିଳିତ ଉଦ୍ୟମରେ କେବଳ ୨୦୧୭ ମସିହାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିବା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ତଥ୍ୟ ଅନୁଯାୟୀ ୨୦୧୦ରେ ୨୭୦ ଆତଙ୍କବାଦୀ ନିପାତ ହୋଇଥିବାବେଳେ ୨୦୧୫ ଶେଷ ସୁଦ୍ଧା ଏହି ସଂଖ୍ୟା ଶୋଚନୀୟ ଭାବେ ପ୍ରତିବର୍ଷ ୧୦୦ରେ ସୀମିତ ରହିଥିଲା। ୨୦୧୬ ମସିହାରେ ସମୁଦାୟ ୧୬୫ ଆତଙ୍କବାଦୀ ନିପାତ ହୋଇଥିବାବେଳେ ୨୦୧୭ ମସିହାରେ ଏହି ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତବର୍ଷ ତୁଳନାରେ ଚଳିତବର୍ଷ କମ୍‌ ଯବାନ ସହିଦ ହୋଇଛନ୍ତି। ଗତବର୍ଷ ୮୮ ଯବାନ ସହିଦ ହୋଇଥିବାବେଳେ ଚଳିତବର୍ଷ ୭୭ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର