କଶ୍ମୀରରେ ଏନ୍‌କାଉଣ୍ଟର: ଡିଏସ୍‌ପି ସହିଦ, ୩ ଆତଙ୍କବାଦୀ ନିପାତ

ସେନା ଅଧିକାରୀ ଆହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ତାରିଗ୍ରାମରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀ ୩ ଜଣ ଜୈସ୍‌ ଆତଙ୍କବାଦୀଙ୍କୁ ନିପାତ କରିଛି। ତେବେ ଗୁଳି ବିନିମୟ ବେଳେ ଜମ୍ମୁ କଶ୍ମୀର ପୁଲିସ ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ର ଡିଏସ୍‌ପି ଅମନ ଠାକୁର ସହିଦ ହୋଇଯାଇଥିବା ବେଳେ ଗୁରୁତର ଆହତ ହୋଇଥିବା ସେନାର ଜଣେ ଅଧିକାରୀଙ୍କୁ ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଆହୁରି ୨ ଜଣ ଆତଙ୍କବାଦୀ ଲୁଚିଥିବାରୁ ସମଗ୍ର ଅଂଚଳକୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି। ସୂଚନାନୁଯାୟୀ, ୨୦୧୧ ବ୍ୟାଚ୍ ଆପିଏସ୍ ଅମନ ଠାକୁର ଦେଢ଼ ବର୍ଷ ହେଲା ଜମ୍ମୁ କଶ୍ମୀର ପୁଲିସର ଆତଙ୍କବାଦ ନିୟନ୍ତ୍ରଣ ଶାଖାରେ ଡିଏସ୍‌ପି ଭାବେ ଯୋଗ ଦେଇଥିଲେ। ଗତ ୧୪ ତାରିଖରେ ପୁଲୱାମାରେ ସିଆର୍‌ପିଏଫ୍‌ ଉପରେ ଆତ୍ମଘାତୀ ଆକ୍ରମଣରେ ୪୧ ଯବାନ ସହିଦ ହେବା ପରଠାରୁ ଦକ୍ଷିଣ କଶ୍ମୀରରେ ସ୍ଥିତି ଅଶାନ୍ତ ହୋଇପଡ଼ିଛି। ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ଆଜି ରାତି ୧୧ଟା ସୁଦ୍ଧା ୩ଟି ସ୍ଥାନରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି। ତାରିଗ୍ରାମରେ ତଲାସ ଅଭିଯାନ ଚାଲିଥିବା ବେଳେ ଅତର୍କିତ କେତେକ ଆତଙ୍କବାଦୀ ଉଚ୍ଚସ୍ଥାନରେ ରହି ସ୍ବୟଂଚାଳିତ ରାଇଫଲ୍‌ରୁ ଗୁଳିବର୍ଷା କରିଥିଲେ।

ଉସୁକାଇଲେ ପାକ୍ ପ୍ରାକ୍ତନ କୂଟନୀତିଜ୍ଞ
ଭାରତର ଆକ୍ରମଣକୁ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଇସଲାମାବାଦ: ସମ୍ପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ତିକ୍ତତା ଚରମ ସ୍ଥାନରେ ପହଞ୍ଚିଥିବା ବେଳେ ଆଜି ପାକିସ୍ତାନର ତିନି ଜଣ ପୂର୍ବତନ ବୈଦେଶିକ ସଚିବ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ତାଙ୍କ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ପୁଲଵାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ପରିସ୍ଥିତିରେ ସ୍ବାଭାବିକତା ଆଣିବା ପାଇଁ କୂଟନୈତିକ ସ୍ତରରେ ଶାନ୍ତି କଥାବାର୍ତ୍ତା ପାଇଁ ସେମାନେ ଗୋଟିଏ ପଟେ ଦୁଇ ଦେଶକୁ ଆହ୍ବାନ କରିଥିବା ବେଳେ ଅନ୍ୟ ପଟେ ଏଭଳି ସ୍ଥିତିରେ ଭାରତର ଆକ୍ରାମକ ପଦକ୍ଷେପକୁ ପ୍ରତିହତ କରିବା ଲାଗି ପାକ୍ ସରକାର ପ୍ରସ୍ତୁତ ରହିବା ଲାଗି ମଧ୍ୟ ଚେତେଇ ଦେଇଛନ୍ତି। ଦୈନିକ ଖବର କାଗଜ ‘ଦି ଡନ୍’ର ରବିବାର ସଂସ୍କରଣରେ ପ୍ରକାଶିତ ‘ସଂଯମର ସମୟ’ ବା ‘ଏ ଟାଇମ୍ ଅଫ୍ ରିଷ୍ଟ୍ରେଣ୍ଟ୍’ ଶୀର୍ଷକ ଶିରୋନାମାରେ ପାକିସ୍ତାନର ପୂର୍ବତନ ବୈଦେଶିକ ସଚିବ ରିଆଜ୍ ହୁସେନ୍ ଖୋକର, ରିଆଜ୍ ମହମ୍ମଦ ଖାଁ ଏବଂ ଇନାମୁଲ୍ ହକ୍ ଏକ ମିଳିତ ବିବୃତି ଦେଇ ଏଭଳି ଚେତାବନୀ ପୋଷଣ କରିଛନ୍ତି। ଦୁଇ ଦେଶର ଗଣମାଧ୍ୟମ, ରାଜନେତା ଗୁଇନ୍ଦା ସଂସ୍ଥା ଏବଂ ବୁଦ୍ଧିଜୀବୀମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ସଂଯମ ଅବଲମ୍ବନ କରିବାକୁ ସେମାନେ ଆହ୍ବାନ ଦେଇଛନ୍ତି। ପୁଲଵାମା ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାବାହିନୀକୁ ପୂର୍ଣ୍ଣ କ୍ଷମତା ଦେଇ ଦୁଇ ଦେଶ ମଧ୍ୟରେ ବିପଦ ବଢ଼ାଇଛନ୍ତି ବୋଲି ସେମାନେ କହିଛନ୍ତି। ଏପରିକି ପାକିସ୍ତାନକୁ ଏକଘରିକିଆ କରିବା ଲାଗି ଭାରତ ଧମକ ଦେବା ସହ ଏହାର ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ପ୍ରତୀକାତ୍ମକ ଭାବେ ଏମ୍ଏଫ୍ଏନ୍ ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏଭଳି ଗମ୍ଭୀର ସ୍ଥିତି ଦୁଇ ଦେଶର ବିବାଦ ପାଇଁ ଅକଳ୍ପନୀୟ ପରିଣତିକୁ ଅପେକ୍ଷା ରଖିଛି। ତେଣୁ ଏଥିରେ ସୁଧାର ଆଣି ପରିବେଶକୁ ସମଭାବାପନ୍ନ ହେବା ଲାଗି ସମସ୍ତେ ଦାୟିତ୍ବର ସହ ବୁଦ୍ଧି, ବିବେକ ଓ ପରାକ୍ରମ ଖଟେଇବା ଲାଗି ସେମାନେ କହିଛନ୍ତି। ଅପରପକ୍ଷେ, ଏଭଳି ସ୍ଥତିରେ ଭାରତ ଆଉ ପଛକୁ ଫେରିବନି ବୋଲି ଏହି ତିନି କୂଟନୀତିଜ୍ଞ ମଧ୍ୟ ଆଶଙ୍କା ପ୍ରକଟ କରି ଯାବତୀୟ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି ପାକିସ୍ତାନ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର