କାଶ୍ମୀରରେ ଏନ୍‌କାଉଣ୍ଟର, ହିଜ୍‌ବୁଲ ମୁଖ୍ୟ ସୈଫୁଲ୍ଲା ନିପାତ

ଶ୍ରୀନଗର: ଆଜି ଶ୍ରୀନଗର ଜିଲ୍ଲାର ରଙ୍ଗରେଥ୍‌ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଜମ୍ମୁ-କାଶ୍ମୀର ମୁଖ୍ୟ ସୈଫୁଲ୍ଲା ମୀର୍‌ ଓରଫ୍‌ ହାଇଦର୍‌ ନିପାତ ହୋଇଛି। ରଙ୍ଗରେଥ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ରଖିଥିଲେ। ଆତଙ୍କବାଦୀଙ୍କ ସହିତ ପ୍ରାୟ ୨ ଘଣ୍ଟାର ଗୁଳି ବିନିମୟ ପରେ ହିଜ୍‌ବୁଲ ଜମ୍ମୁ-କାଶ୍ମୀର ମୁଖ୍ୟ ସୈଫୁଲ୍ଲା ନିପାତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି ବୋଲି ଜମ୍ମୁ-କାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ନିହତ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଜମ୍ମୁ-କାଶ୍ମୀର ମୁଖ୍ୟ ସୈଫୁଲ୍ଲା ବୁର୍‌ହାନ୍‌ ୱାନି ଗ୍ରୁପ୍‌ର ‌ଶେଷ ସକ୍ରିୟ କମାଣ୍ଡାଣ୍ଟ ଥିଲା। ସୂଚନାଯୋଗ୍ୟ, ହିଜ୍‌ବୁଲ ମୁଜାହିଦ୍ଦିନର ଜମ୍ମୁ-କାଶ୍ମୀର ମୁଖ୍ୟ ରିୟାଜ୍‌ ନାଏକର ହତ୍ୟା ପରେ ସୈଫୁଲ୍ଲାକୁ ତା’ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ନିହତ ସୈଫୁଲ୍ଲା ଏ++ ଶ୍ରେଣୀର ଆତଙ୍କବାଦୀ ଥିଲା।

ସମ୍ବନ୍ଧିତ ଖବର