ଶ୍ରୀନଗର : ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ସ୍ଥିତ କାକପୋରା ଅଞ୍ଚଳରେ ଆଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ଚାଲିଛି । ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କୋକପୋରା ଅଞ୍ଚଳର ମାରଓ୍ଵାଲ ଗ୍ରାମରେ କେତେକ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନାର ୫୦-ରାଷ୍ଟ୍ରୀୟ ରାଇଫଲ୍ସ, ସ୍ଥାନୀୟ ପୁଲିସ ଓ ସିଆରପିଏଫ ପକ୍ଷରୁ ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀ ଲୁଚିଥିବା ଘରକୁ ଘେରିଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା ଆରମ୍ଭ ହୋଇଥିଲା । ଏଥିରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଥିବା ଜଣାପଡ଼ିଛି ।
#Encounter has started at #Marwal area of #Pulwama. Police and security forces are on the job. Further details shall follow. @JmuKmrPolice
— Kashmir Zone Police (@KashmirPolice) September 15, 2020
ଉକ୍ତ ଘରେ ପ୍ରକୃତରେ କେତେ ସଂଖ୍ୟକ ଆତଙ୍କବାଦୀ ଲୁଚିଥିବା ଜଣାପଡ଼ିନଥିଲେ ମଧ୍ୟ ସେମାନେ ଦୁଇ କିମ୍ବା ତିନିଜଣ ହେବେ ବୋଲି ସେନା ଅନୁମାନ କରୁଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ଏହି ଏନକାଉଣ୍ଟର ଜାରି ରହିଛି ।