ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଗତରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି। ବିଭିନ୍ନ ଅଂଚଳରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ସହ ସେମାନଙ୍କ ଘର ଜାଳି ଦିଆଯାଇଛି। ୫ଟି ସ୍ଥାନରେ ସୁରକ୍ଷାବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆଜି ଭୋର୍‌ ସମୟରେ ଇମ୍ଫାଲ ଘାଟି ଏବଂ ଏହାର ନିକଟବର୍ତ୍ତୀ ୫ଟି ଅଞ୍ଚଳରେ ଉଗ୍ରପନ୍ଥୀମାନେ ଏକସଂଗରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସୁରକ୍ଷା ବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ମୋଟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ଜଣାପଡ଼ିଛି। କେତେକ ଉଗ୍ରପନ୍ଥୀ ଗିରଫ ହୋଇଛନ୍ତି ଏବଂ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ କହିଛନ୍ତି ଯେ ଉଗ୍ରପନ୍ଥୀମାନଙ୍କ ଯୋଜନାବଦ୍ଧ ଆକ୍ରମଣର କଡ଼ା ଜବାବ ଦେଇଛି ସୁରକ୍ଷା ବାହିନୀ।

Advertisment

ଉପଦ୍ରୁତ ଅଞ୍ଚଳରେ ଉଗ୍ରପନ୍ଥୀଙ୍କୁ ଦମନ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆତଙ୍କବାଦୀମାନେ ଏମ୍‌-୧୬, ଏକେ-୪୭ ଏବଂ ସ୍ନାଇପର ରାଇଫଲ ବ୍ୟବହାର କରି ନାଗରିକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅନେକ ଗ୍ରାମକୁ ସେମାନେ ଜାଳି ଦେଇଥିବା ବେଳେ ସୁରକ୍ଷା ବାହିନୀର କ୍ୟାମ୍ପ୍‌ଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି। ତେବେ ଆଜିର ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଥିବା କୁହାଯାଇଛି। କୁକୁ ସଂପ୍ରଦାୟର ସଶସ୍ତ୍ର ଉଗ୍ରପନ୍ଥୀମାନେ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଠପ୍‌ କରିଦେବାପାଇଁ କରିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି। ହିଂସାଗ୍ରସ୍ତ ଅଞ୍ଚଳରେ ସେନା ଓ ଅର୍ଦ୍ଧସାମରିକା ବାହିନୀ ବ୍ୟାପକ ତଲାସୀ ଅଭିଯାନ ଚଳାଇଛନ୍ତି।