ପୁଲ୍‌ୱାମାରେ ଏନ୍‌କାଉଣ୍ଟର: ଟିମ୍‌ ଜାକିର ମୁସା ‘ଅଲ୍‌ଆଉଟ୍‌’

୬ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲ୍‌ୱାମା ଜିଲ୍ଲା ସ୍ଥିତ ତ୍ରାଲ୍‌ ଅଞ୍ଚଳରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ୬ ଜଣ ଜମ୍ମୁ କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସାର ଟିମ୍‌ରେ ଥିଲେ ଏବଂ ଗୋଟିଏ ଅପରେସନ୍‌ରେ ସମସ୍ତେ ନିପାତ ହେବା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ମୁସାର ଆତଙ୍କବାଦୀ ଗୋ‌ଷ୍ଠୀ ‘ଅନ୍‌ସାର ଗଜବତ ଉଲ୍‌ ହିନ୍ଦ୍‌’ର ଉପମୁଖ୍ୟ ରେହାନ୍‌ ଖାନ୍‌ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛି। ସେନାର ଅପରେସନ୍‌ ‘ଅଲ୍‌ଆଉଟ୍‌’ରୁ ମୁସା ଦୁଇଥର ବର୍ତ୍ତିଥିବା ବେଳେ ଏବେ ତା’ର ଘନିଷ୍ଠ ସହଯୋଗୀ ନିପାତ ହୋଇଥିବାରୁ ମୁସ‌ାର ସଂଗଠନ ଅସ୍ତିତ୍ବ ସଂକଟରେ ପଡ଼ିଯାଇଛି।

ଆଜି ଅବନ୍ତିପୁରାର ଆରମପୋରା ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୪୨ ଆର୍‌ଆର୍‌, ଏସ୍‌ଓଜି ଏବଂ ସିଆରପିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳି ଚାଳନା କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଆତଙ୍କବାଦୀମାନେ ଅଚାନକ ଗୁଳିବର୍ଷା କରିବା ଫଳରେ ସୁରକ୍ଷା ବାହିନୀ ଏହାର କଡ଼ା ଜବାବ ଦେଇଥିଲା। ସମଗ୍ର ଗ୍ରାମକୁ ସିଲ୍‌ କରାଯାଇ ଆତଙ୍କବା‌ଦୀ ଲୁଚିଥିବା ଘରକୁ ଟାର୍ଗେଟ୍‌ କରାଯାଇଥିଲା। ୩ ଘଣ୍ଟାର ଅପରେସନ୍‌ ପରେ ସମସ୍ତ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ସେମାନଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି ପୁଲିସ ଆଇଜି ସ୍ବୟମ ପ୍ରକାଶ ପାଣି କହିଛନ୍ତି। ନିହତ ଆତଙ୍କବାଦୀମାନେ ହେଉଛନ୍ତି ସୋଲିହା ଅଖୁନ୍‌, ଫୈଜଲ୍‌, ନଦିମ ସୋଫି, ରାସିକ୍‌ ମିର୍‌ ଏବଂ ଉମର।

ଗ୍ରେନେଡ୍‌ ଆକ୍ରମଣରେ ୬ ଯବାନ ଆହତ
ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି କମ୍ବିଂରୁ ଫେରୁଥିବା ସୁରକ୍ଷା ବାହିନୀର ଟ୍ରକ୍‌ଗୁଡ଼ିକ ଉପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିବାରୁ ୬ ଜଣ ଯବାନ ଆହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଜନଗହଳିପୂର୍ଣ୍ଣ ସ୍ଥାନରେ ରହି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ତେବେ ସମସ୍ତ ଆହତ ଯବାନ ବିପଦମୁକ୍ତ ଥିବା ସେନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର