ଶୀର୍ଷ ହିଜବୁଲ୍‌ କମାଣ୍ଡର ସମେତ ୪ ନିପାତ, ଅନନ୍ତନାଗରେ ଏନ୍‌କାଉଣ୍ଟର୍‌

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଶୀର୍ଷ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ସମେତ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିପାତ ‌ହୋଇଥିବା ଶୀର୍ଷ ହିଜବୁଲ୍‌ କମାଣ୍ଡର ହେଉଛି ମସୁଦ୍‌ ଓରଫ୍‌ ରାହି। ଏହି କୁଖ୍ୟାତ ଆତଙ୍କବାଦୀ ମସୁଦ୍‌ ଅଷ୍ଟମ ଯାଏଁ ପାଠ ପଢ଼ିଛି। ୨୦୧୮ରେ ଦୋଦାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବାପରେ ସେ ଫେରାର୍ ହୋଇଯାଇଥିଲା ଏବଂ ପରେ ସେ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଗୋଷ୍ଠୀରେ ଯୋଗ ଦେଇଥିଲା। ତେବେ ତା’ର ଅପରେସନ୍‌ ଅଞ୍ଚଳକୁ ସେ କାଶ୍ମୀରକୁ ସ୍ଥାନାନ୍ତର କରିନେଇଥିଲା। ଜମ୍ମୁ କାଶ୍ମୀର ଡିଜିପି ଦିଲ୍‌ବାଗ ସିଂହ କହିଛନ୍ତି, ମସୁଦ୍‌ ନିପାତ ହେବା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ମିଳିଛି। ମସୁଦ୍‌ ନିପାତ ହେବାପରେ ଦୋଦା ଏବେ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଦିଲ୍‌ବାଗ ସିଂହ କହିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଅନନ୍ତନାଗର ଖୁଲ୍‌ ଚୋହରରେ ଆଜି କାଶ୍ମୀର ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଏକ ମିଳିତ ଟିମ୍‌ ଅପରେସନ୍‌ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ଏହି ଅପରେସନ୍‌ରେ ଜଣେ ଶୀର୍ଷ ହିଜବୁଲ୍‌ କମାଣ୍ଡର, ଜିଲ୍ଲା କମାଣ୍ଡର ସମେତ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶୀର୍ଷ ହିଜବୁଲ୍‌ କମାଣ୍ଡର୍‌ ମସୁଦ୍‌ର ଭାଇ ଫାରୁକ୍‌ ଅହମଦ ୧୯୯୯ରୁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ। ଜମ୍ମୁ କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଜୁନ୍‌ ମାସରେ ଅଧିକାଂଶ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୋଟିଏ ମାସ ମଧ୍ୟରେ ସର୍ବମୋଟ୍‌ ୪୬ ଆତଙ୍କବାଦୀ ନିପା‌ତ ହୋଇଛନ୍ତି। ଅନ୍ୟପକ୍ଷେ ଚଳିତ ବର୍ଷ ୧୧୬ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସମ୍ବନ୍ଧିତ ଖବର