ଏନ୍‌କାଉଣ୍ଟର ‌ସ୍ପେସାଲି‌ଷ୍ଟ୍‌ ଭି ସି ସଜ୍ଜନାର : ୨୦୦୮‌ରେ ବି ୩ଜଣଙ୍କୁ ନିପାତ କରିଥିଲେ

ହାଇଦ୍ରାବାଦ=: ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଭିସି ସଜ୍ଜନାର। ଆଜି ଭୋର୍‌ ସମୟରେ ହାଇଦ୍ରାବାଦ୍‌ ପୁଲିସ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ଖବରରେ ଦେଶବାସୀ ଖୁସି ଜାହିର୍‌ କରିଛନ୍ତି। ‌ହାଇଦ୍ରାବାଦ ପୁଲିସ ଯାହା କରିଛି ତାହା ଉଦାହରଣୀୟ ବୋଲି ଅନେକ ମତ ରଖିଛନ୍ତି। ତେବେ ଏହାର‌ ଶ୍ରେୟ ନେବେ ସାଇବରାବାଦ୍‌ ପୁଲିସ କମିସନର ସଜ୍ଜନାର। ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ୍‌ ସଜ୍ଜନାର ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚିତ ଏନ୍‌କାଉଣ୍ଟରର ନାୟକ ଭାବେ ଜଣାଶୁଣା। ୨୦୦୮ରେ ୱାରଙ୍ଗଲ୍‌ରେ ଜଣେ ମହିଳାଙ୍କୁ ଏସିଡ୍‌ ପକାଇ ମାରିଦେବା ଘଟଣାରେ ସଜ୍ଜନାର ୩ ଜଣଙ୍କୁ ଏନ୍‌କାଉଣ୍ଟରରେ ନିପାତ କରିଥିଲେ। ଆଜିର ଏନ୍‌କାଉଣ୍ଟରରେ ମଧ୍ୟ ସଜ୍ଜନାର ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ମହମ୍ମଦ ଆରିଫ୍‌, ଶିବ, ନବୀନ ଏବଂ ଚେନ୍ନାକେସବୁଲୁକୁ ଗିରଫ କରିବା ପରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦେଶବ୍ୟାପୀ ଦାବି ହୋଇଥିଲା। ୨୦୦୮ରେ ମଧ୍ୟ ମହିଳାଙ୍କୁ ଏସିଡ୍‌ ପକାଇ ମାରିଦେବା ଘଟଣାରେ ବି ସମାନ ଦାବି ହୋଇଥିଲା। ‌ସେ ସମୟରେ ସଜ୍ଜନାର ୱାରଙ୍ଗଲ୍‌ ଏସ୍‌ପି ଥିଲେ। ସଜ୍ଜନାର ୩ ଅଭିଯୁକ୍ତଙ୍କ ସହ ଏକ ଟିମ୍‌ ଅପରାଧ ସ୍ଥଳକୁ ପଠାଇଥିଲେ। ଅଭିଯୁକ୍ତ ଶ୍ରୀନିବାସ ରାଓ, ପି ହରି କ୍ରୀଷ୍ଣା , ବି ସଂଜୟ ପୁଲିସ ଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେଣୁ ପୁଲିସ ଆତ୍ମସୁରକ୍ଷା ପାଇଁ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଆଜି ବି ଅଭିଯୁକ୍ତଙ୍କ ସହ ଏକ ୧୦ ଜଣିଆ ପୁଲିସ ଟିମ୍‌ ଅପରାଧ ସ୍ଥଳକୁ ପଠାଯାଇଥିଲା। ଅଭିଯୁକ୍ତମାନେ ପୁଲିସ ଉପରକୁ ଆକ୍ରମଣ କରି ଖସି ପଳାଇବାକୁ ଚେଷ୍ଟା କରିବାବେଳେ ସମସ୍ତଙ୍କୁ ଗୁଳି କରି ନିପାତ କରାଯାଇଥିଲା।

ସମ୍ବନ୍ଧିତ ଖବର