ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ପୁଲିସ ଏନକାଉଣ୍ଟରରେ ଚାରି ନକ୍ସଲ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ପଚାମା ଦାଦରର ପାହାଡିଆ ଅଞ୍ଚଳରେ ହୋଇଥିଲା। ନିହତ ନକ୍ସଲଙ୍କ ମଧ୍ୟରେ ତିନି ଜଣ ମହିଳା ନକ୍ସଲ ଅଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଧିକ ନକ୍ସଲ ଥିବା ଆଶଙ୍କା କରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Advertisment

ସ୍ୱତନ୍ତ୍ର ଡିଜି (ନକ୍ସଲ) ପଙ୍କଜ ଶ୍ରୀବାସ୍ତବ ଫୋନ୍ ଯୋଗେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, ବିଥାଲି ଥାନାର ପଚାମା ଦାଦରର ପାହାଡିଆ ଅଞ୍ଚଳରେ ଏକ ଏନକାଉଣ୍ଟରରେ ତିନି ଜଣ ମହିଳାଙ୍କ ସମେତ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍, ଗୋଟିଏ ରକେଟ୍ ଲଞ୍ଚର୍, ଗୋଟିଏ ୩୧୫ ରାଇଫଲ୍ ଏବଂ କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି। କିଛି ନକ୍ସଲ ଖସି ପଳାଇ ଯାଇଛନ୍ତି। ସେମାନଦଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ବାଲାଘାଟ ନକ୍ସଲ ଏନକାଉଣ୍ଟର ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ , ମଧ୍ୟପ୍ରଦେଶ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମାପ୍ତ କରିବାର ସଂକଳ୍ପ ନେଇ ନିରନ୍ତର କାର୍ଯ୍ୟ କରୁଛି।

ବାଲାଘାଟରେ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ସେମାନଙ୍କଠାରୁ ରକେଟ୍ ଲଞ୍ଚର ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି। ସେ ଏହି ଏନକାଉଣ୍ଟରରେ ସାମିଲ ହୋଇଥିବା ପୁଲିସକର୍ମୀଙ୍କୁ ପୁରସ୍କାର ଦେବା ବିଷୟରେ ମଧ୍ୟ କହିଛନ୍ତି।

ଏସପି ଆଦିତ୍ୟ ମିଶ୍ର ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଚାରି ଜଣ ନକ୍ସଲ ଜିଆରବି ଅର୍ଥାତ୍ ଗୋଣ୍ଡିଆ, ରାଜନନ୍ଦଗାଓଁ, ବାଲାଘାଟ ଡିଭିଜନର ସଦସ୍ୟ ଥିଲେ। ୨୫ରୁ ଅଧିକ ସନ୍ଧାନ ଦଳ ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି।

ନକ୍ସଲଙ୍କ ଅଧିକ ମୃତଦେହ ମିଳିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ନିହତ ନକ୍ସଲଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ନିହତ ନକ୍ସଲଙ୍କ ମଧ୍ୟରୁ ଜଣଙ୍କର ନାମ ଦୀପକ ବୋଲି କୁହାଯାଉଛି। ବାକି ତିନି ଜଣ ମହିଳା ନକ୍ସଲଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଜାରି ରହିଛି। 

ଏହା ପୂର୍ବରୁ ୧୯ ଫେବ୍ରୁଆରି ୨୦୨୫ରେ ବାଲାଘାଟରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ସମୟରେ ମଧ୍ୟ ପୁଲିସ ଏନକାଉଣ୍ଟରରେ ତିନି ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ବାଲାଘାଟ ଜିଲ୍ଲାର ଗିରି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କର ନକ୍ସଲମାନଙ୍କ ସହିତ ଗୁଳିବିନିମୟ ହୋଇଥିଲା।  ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଇରାନ ବିବାଦ ଯୋଗୁ କ୍ଷତି ସହିବ ଭାରତ!: ଅଶୋଧିତ ତୈଳ-ସେୟାର ବଜାର ଉପରେ କ’ଣ ପ୍ରଭାବ ପଡ଼ିବ ଜାଣନ୍ତୁ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନକ୍ସଲବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ବାଲାଘାଟରେ ହାସଲ କରିଥିବା ସଫଳତା ପାଇଁ ରାଜ୍ୟ ପୁଲିସକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ସମସ୍ତ ରାଜ୍ୟରୁ ନକ୍ସଲବାଦକୁ ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ରାଜ୍ୟ ସରକାର ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଭାରତର ଭୁଲ୍ ମାନଚିତ୍ର ଦେଖାଇ ସମସ୍ୟାରେ ପଡ଼ିଲା ଇସ୍ରାଏଲ, କ୍ଷମା ମାଗିଲା ଆଇଡିଏଫ

 Naxal Encounter