‘ଆମର ପ୍ଲାଟଫର୍ମ ଭାରତରେ ଏକ ଦୁର୍ଭାଗ୍ୟଜନକ ଆହ୍ଵାନର ସମ୍ମୁଖୀନ ହୋଇଛି’; ନିଷେଧାଦେଶ ଜାରିପରେ ୨୦୦୦ ଭାରତୀୟ କର୍ମଚାରୀଙ୍କୁ ନିଜ ବାର୍ତ୍ତାରେ କହିଲେ ଟିକ୍‌ଟକ୍‌ ସିଇଓ

ନୂଆଦିଲ୍ଲୀ: ଭାରତରେ ବେଶ ଲୋକପ୍ରିୟ ଥିବା ଚୀନ୍‌ର ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍ ସମେତ ଅନ୍ୟ ୫୯ଟି ଚୀନ୍‌ ଆପ୍‌ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଏହି ପରିପ୍ରେକ୍ଷୀରେ ଟିକ୍‌ଟକ୍ ର ସିଇଓ କେଭିନ ମାୟର ଭାରତରେ କାର୍ଯ୍ୟରତ ଥିବା ଏହାର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆର ମେନ୍‌ ଫ୍ରେମରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ କମ୍ପାନି ଅପେକ୍ଷା କରି ରହିଥିବା ବେଳେ ଭାରତ ସରକାରଙ୍କର ଏ ନିଷ୍ପତ୍ତି କମ୍ପାନିକୁ ଏକ ଦାରୁଣ ଧକ୍କା ପହଞ୍ଚାଇଛି। ଭାରତୀୟ ଆଇନ ଅନୁଯାୟୀ ଟିକ୍‌ଟକ୍ ସମସ୍ତ ତଥ୍ୟ, ଗୋପନୀୟତା ଏବଂ ସୁରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଭାରତ ସରକାର କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ ତାହାର କାରଣ ଜଣାପଡ଼ୁ ନାହିଁ। ଦେଶର ଦୂର ସହର, ଏବଂ ଗ୍ରାମରେ ବ୍ୟବହାରକାରୀଙ୍କ ମଧ୍ୟରେ ଟିକ୍‌ଟକ୍ ଲୋକପ୍ରିୟ ଥିଲା। ଭାରତରେ ଏହାର ୨୦୦ ନିୟୁତ ଉପଭୋକ୍ତା ଥିଲା। ଏବଂ ଟିକ୍‌ଟକ୍ ଭାରତ କମ୍ପାନିରେ ୨୦୦୦ କର୍ମଚାରୀ କାର୍ଯ୍ୟରତ ଥିଲେ।

Delhi99

ଟିକ୍‌ଟକ୍ ସିଇଓ କେଭିନ୍‌ ମେୟର ତାଙ୍କ ବାର୍ତ୍ତାରେ କର୍ମଚାରୀମାନଙ୍କୁ କହିଛନ୍ତି ଯେ ଆମର ପ୍ରୟାସ ଆମର ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ। ଆମେ ବିଶ୍ୱାସ କରୁ ଯେ ଏହି ପ୍ରୟାସରେ ଆମେ ସଫଳ ହୋଇଛୁ। ହେଲେ, ଆମର ପ୍ଲାଟଫର୍ମ ଭାରତରେ ଏକ ଦୁର୍ଭାଗ୍ୟଜନକ ଆହ୍ଵାନର ସମ୍ମୁଖୀନ ହୋଇଛି। ତଥାପି, ଆମେ ଆମର ମିଶନ ପାଇଁ ସଂକଳ୍ପବଦ୍ଧ ଏବଂ ପ୍ରତିବଦ୍ଧ। କମ୍ପାନି ଭାରତୀୟ ନିୟମ ଅନୁଯାୟୀ ସମସ୍ତ ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ଆବଶ୍ୟକତା ପାଳନ କରିବା ଜାରି ରଖିଛି ଏବଂ ଉପଭୋକ୍ତାଙ୍କ ଗୋପନୀୟତା ଏବଂ ଅଖଣ୍ଡତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି।

୨୦୧୮ ପରଠାର ଭାରତରେ ଥିବା ଆମର ୨୦୦ ମିଲିୟନରୁ ଅଧିକ ଉପଭୋକ୍ତା ସେମାନଙ୍କର ଖୁସି, ସୃଜନଶୀଳତା ଓ ଆତ୍ମ-ଅଭିବ୍ୟକ୍ତି ବ୍ୟକ୍ତ କରିବା ସହ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ ଏହି ଆପ୍‌ ମାଧ୍ୟମରେ ସକ୍ଷମ ଅଟନ୍ତି। ଟିକ୍‌ଟକ୍ ଶହ ଶହ କୋଟି ଉପଭୋକ୍ତାଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର, କାହାଣୀକାର, ଶିକ୍ଷାବିତ୍‌ ଏବଂ ଅଭିନେତାମାନଙ୍କ ସୃଜନଶୀଳ କାର୍ଯ୍ୟକୁ ଉପଭୋଗ କରିବାକୁ ସକ୍ଷମ କରିଛି ଏବଂ ସେମାନଙ୍କ ଜୀବିକାର ପଥ ଉନ୍ମୋଚନ କରିଛି। ଖାଲି ଏତିକି ନୁହେଁ ବଶ୍ୱ ସ୍ତରରେ ସେମାନଙ୍କର ଦକ୍ଷତା ଏବଂ ପ୍ରତିଭା ବାଣ୍ଟିବାବେଳେ, ଏହି ଅଭିନେତା, କଳାକାର ଏବଂ ମନୋରଞ୍ଜକମାନେ ବ୍ରାଣ୍ଡ ପ୍ରୋମୋସନ୍‌ ଏବଂ ଆସୋସିଏସନ୍‌ ପାଇଁ ସୁଯୋଗ ମଧ୍ୟ ପାଇଛନ୍ତି। ଯାହାକି ଏକଦା ଚଳଚ୍ଚିତ୍ର ତାରକା ଏବଂ କ୍ରୀଡା ସେଲିବ୍ରିଟିଙ୍କ ମଧ୍ୟରେ ସୀମିତ ରହିଥିଲା। ଆମର ସୃଜନଶୀଳ ସମ୍ପ୍ରଦାୟ ହିଁ ଆମର ପରିଚୟ ବୋଲି ସେ କହିଛନ୍ତି। ଆମର କର୍ମଚାରୀମାନେ ହେଉଛନ୍ତି ଆମର ସବୁଠାରୁ ବଡ ଶକ୍ତି, ଏବଂ ସେମାନଙ୍କର କଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର