ଶ୍ରୀନଗର: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ଏକ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ଦୁଇ ଜଣ ସେନା ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛି ଏବଂ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି। ମୃତକଙ୍କ ମଧ୍ୟରେ ସେନାର ଦୁଇ ଜଣ କ୍ୟାପ୍ଟେନ ଓ ୨ ଜଣ ହାବିଲ୍ଦାର ଥିବା ଜଣାପଡ଼ିଛି। ଆହତ ହୋଇଥିବା ଆଉ ୩ ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀର୍ ପଂଜଲ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି ଏବଂ ଅଧିକ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଙ୍ଗଲରେ କେତେ ଜଣ ଆତଙ୍କବାଦୀ ଲୁଚିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିକମ୍ରେ ୩ ଜଣ ଆତଙ୍କବାଦୀ ଏକ ଉଚ୍ଚ ସ୍ଥାନରୁ ଗୁଳିମାଡ଼ କରୁଥିବା ଜଣାପଡ଼ିଛି। ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀମାନେ ଦୁଇ ପଟୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜୌରୀରେ ଗତ ସପ୍ତାହରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ କେତେକ ଆତଙ୍କବାଦୀଙ୍କ ଗତିବିଧି ସଂପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ସର୍ଚ୍ଚ ଅପରେସନ ଜାରି ରହିଛି। ନିକଟରେ କୁଲ୍ଗାମ ଅଂଚଳରେ ୬ ଜଣ ଲସ୍କର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଲସ୍କରର ଜଣେ ଶୀର୍ଷ କମାଣ୍ଡର ମଧ୍ୟ ଥିଲା।