ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଅ, ସାଧାରଣ ନାଗରିକଙ୍କ ଆତ୍ମବିଶ୍ବାସ ବଢ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ତାହା ସାଧାରଣ ନାଗରିକଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଅଦାଲତରେ ଆମେ ଅଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହା କେବଳ ସାଧାରଣ ନାଗରିକମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ ନାହିଁ, ସେମାନଙ୍କୁ ବିଚାର ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହୋଇଥିବା ପରି ଅନୁଭବ କରାଇବ।

ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ୧୪୫୦ଟି ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାରମାନେ ସେଥିରୁ ୭୫ଟି ଆଇନ ଉଚ୍ଛେଦ କରିଛନ୍ତି।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୫ରେ ଆମେ ଏଭଳି ୧୮୦୦ ଅପ୍ରାସଙ୍ଗିକ ଆଇନ ଚିହ୍ନଟ କରିଥିଲୁ। ସେଥିରୁ ୧୪୫୦ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। କିନ୍ତୁ, ରାଜ୍ୟ ସରକାରମାନେ ମାତ୍ର ୭୫ଟି ସେଭଳି ଆଇନ ଉଚ୍ଛେଦ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଥିବା ବେଳେ ସମସ୍ତଙ୍କୁ ଅନାୟାସରେ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ।

ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା କହିଲେ, ରାଷ୍ଟ୍ରର ତିନୋଟି ଅଙ୍ଗ ମଧ୍ୟରେ ସମ୍ବିଧାନ କ୍ଷମତାର ପୃଥକୀକରଣ ବ୍ୟବସ୍ଥା କରିଛି। କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ସ‌ମସ୍ତେ ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚିତ।

ବିଚାର ବିଭାଗୀୟ ରାୟ ସତ୍ତ୍ବେ ସରକାରମାନେ ନିଷ୍କ୍ରିୟ ରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର