ଆଡଭାନୀଙ୍କ ବିରୋଧରେ ବାବ୍ରି ମସ୍‌ଜିଦ୍‌ ଶୁଣାଣି ଶେଷ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୯୯୨ରେ ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ମାମଲାରେ ଶୁଣାଣି କରି ଅଗଷ୍ଟ ୩୧ ତାରିଖକୁ ଶେଷ ତାରିଖ ସୁଦ୍ଧା ରାୟ ପ୍ରକାଶ କରିବାକୁ ସୁପ୍ରିମ କୋର୍ଟ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ, ସୁଶ୍ରୀ ଊମା ଭାରତୀ ଓ ଅନ୍ୟମାନଙ୍କ ନାମରେ ଚାଲିଥିବା ମାମଲାକୁ ତୁରନ୍ତ ଶୁଣାଣି କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ଗତ ବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ୨୦୨୦ ଏପ୍ରିଲ୍‌ ସୁଦ୍ଧା ଶୁଣାଣି ସାରି ରାୟ ପ୍ରକାଶ କରିବାକୁ ନିର୍ଦେଶନାମା ଜାରି କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ପଡ଼ିବାରୁ ଏହି ତାରିଖକୁ ଘୁଞ୍ଚାଇବାକୁ ସିବିଆଇ ବିଚାରପତି ନିବେଦନ କରିଥିଲେ।

ତେବେ ଇତି ମଧ୍ୟରେ ସେହି ମାମଲାର ଆଉ ତିନି ଜଣ ଅଭିଯୁକ୍ତ ଗିରିରାଜ କିଶୋର, ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଓ ବିଷ୍ଣୁହରି ଡାଲମିଆଙ୍କର ମୃତ୍ୟୁ ହୋଇସାରିଛି। ଏପ୍ରିଲ୍‌ ୨୦୧୭ରେ ସୁପ୍ରିମ୍‌କୋର୍ଟ ଏକ ଦୁଇବର୍ଷିଆ ଶୁଣାଣି ସମାପ୍ତି ସମୟ ଧାର୍ଯ୍ୟ କରିଥିଲେ। ଅର୍ଥାତ୍‌ ଏହା ଏପ୍ରିଲ୍‌ ୨୦୧୯ ସୁଦ୍ଧା ସରିବା କଥା। କିନ୍ତୁ ପରେ ଏହାର ସମୟସୀମା ସଂପ୍ରସାରିତ ହୋଇଥିଲା। ସଂପୃକ୍ତ ବିଚାରପତି ମଧ୍ୟ ୨୦୧୯ରେ ଅବସର ଗ୍ରହଣ କରିଥିଲେ। ଏହା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ଅପରାଧିକ ମାମଲାକୁ ଯୋଡ଼ି ଦେଇ ଶୁଣାଣି କରିବାକୁ ଅନୁମତି ଦେଇଥିଲେ। ରାଏବରେଲୀ ମାମଲାରେ ଭାଜପା ଓ ଦକ୍ଷିଣପନ୍ଥୀ ନେତାମାନଙ୍କ ବିରୋଧରେ ଜାତୀୟ ସଂହତି ପ୍ରତି ଆଞ୍ଚ ଆସିବା ତଥା ଶତ୍ରୁତା ସୃଷ୍ଟିକାରୀ ଉତ୍ତେଜକ ଭାଷଣ ପ୍ରସଙ୍ଗ ଥିବା ବେଳେ ଲକ୍ଷ୍ମୌ ମାମଲାରେ ଅଜ୍ଞାତ କରସେବକମାନଙ୍କ କାର୍ଯ୍ୟାବଳୀ ପ୍ରସଙ୍ଗ ରହିଥିଲା।

ସମ୍ବନ୍ଧିତ ଖବର