ନୂଆଦିଲ୍ଲୀ : ଲୋକାୟୁକ୍ତଙ୍କ ବି‌ରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ର ଅନ୍ତ (ଡିସପୋଜ୍‌ ଅଫ୍‌) କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଦିନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ବିଚାରପତି ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ଶ୍ରୀ ପାଣିଗ୍ରାହୀଙ୍କ ଦ୍ବାରା ଦାଖଲ ରିଟ୍‌ ପିଟିସନ୍‌ର ଶୁଣାଣି ହୋଇଥିଲା। ପୂର୍ବରୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପି ବିଚାରାଧୀନ ରହିଛି, ଆବେଦନକାରୀ କୌଣସି ପ୍ରକାର ଆଶ୍ବସ୍ତି ପାଇଁ ଏସ୍‌ଏଲ୍‌ପିରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିପାରିବେ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ। ଏ ନେଇ କୌଣସି ସମାନ୍ତରାଳ ପ୍ରୋସିଡିଂ ହୋଇପାରିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

Advertisment

ଆବେଦନକାରୀ ରିଟ୍‌ ପିଟିସନ୍‌ରେ ଉଲ୍ଲେଖ କରିଥିବା ପ୍ରସଙ୍ଗଗୁଡ଼ିକ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି)ର ଶୁଣାଣି ସମୟରେ ଉଠାଇପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ‌ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ବାରା ବିଭ୍ରାନ୍ତିକର ନକଲି ନିର୍ଦ୍ଦେଶନାମା ଦାଖଲ କରାଯାଇ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଗତ ଅଗଷ୍ଟରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କ ବିରୋଧରେ ହୋଇଥିବା ମାମଲାରେ ଲୋକାୟୁକ୍ତ ନକଲି କାଗଜପତ୍ର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ନେଇ ଅଭିଯୋଗ କରି ରି୍‌ଟ ପିଟିସନ୍‌ ଦାଖଲ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଦ୍ବାରା ତଦନ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିବା ସହ ମାମଲାର ତଦନ୍ତ କରିବାକୁ ଲୋକାୟୁକ୍ତକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ଲୋକାୟୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୨୩ରେ ରୋକ ଲଗାଇଥିଲେ। ହେଲେ ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ ଲୋକାୟୁକ୍ତ ନକଲି କାଗଜ ସୁପ୍ରିମକୋର୍ଟରେ ଦେଇଥିବା ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରି ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ।