ବନ୍ଦ ଲଫାପା କାରବାର ଶେଷ କର: ଆଟର୍ଣ୍ଣି ଜେନେରାଲ୍ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଅଦାଲତରେ ବନ୍ଦ ବା ମୁଦା ଲଫାପାରେ ଦଲିଲ ଦାଖଲ ବନ୍ଦ କରାଯାଉ ବୋଲି ଆଜି ‘ୱାନ୍ ରାଙ୍କ୍ ୱାନ୍ ପେନ୍ସନ୍’ (ଓଆର୍ଓପି) ମାମଲାର ଶୁଣାଣି କରିବା ବେଳେ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ପେନ୍ସନ୍ ପେମେଣ୍ଟ୍ ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଉଲ୍ଲେଖ ଥିବା କାଗଜପତ୍ରଗୁଡ଼ିକୁ ଭାରତର ଆଟର୍ଣ୍ଣି ଜେନେରାଲ୍ ଏକ ମୁଦା ଲଫାପାରେ ଦାଖଲ କରିଥିଲେ। କିନ୍ତୁ, ତାହା ଗ୍ରହଣ କରିବାକୁ ଅଗ୍ରାହ୍ୟ କରି ପ୍ରଧାନ ବିଚାରପତି କହିଲେ ଯେ, ଏହାକୁ ପଢ଼ି ଶୁଣାଅ ନଚେତ ଫେରାଇ ନେଇଯାଅ।
ପ୍ରଧାନ ବିଚାରପତି କହିଲେ, ଆମେ କୌଣସି ଗୋପନୀୟ ଦଲିଲ ମୁଦା ଲଫାପା ଗ୍ରହଣ କରୁନା। ମୁଁ ବ୍ୟକ୍ତିଗତ ଭାବେ ମଧ୍ୟ ଏହାକୁ ବିରୋଧ କରେ। ଅଦାଲତରେ ସାଧୁତା ରକ୍ଷା କରାଯିବା ବିଧେୟ। ଏଇଟା ତ ଆଦେଶ ଲାଗୁ ହେବା ପ୍ରସଙ୍ଗସମ୍ବଳିତ ଦଲିଲ। ଏଥିରେ କ’ଣ ଗୋପନ ଥାଇ ପାରେ? ମୁଁ ମୁଦା ଲଫାପା କାରବାର ବନ୍ଦ କରିବାକୁ ଚାହେଁ।
ଆଟର୍ଣ୍ଣି ଜେନେରାଲ୍ଙ୍କୁ ସେ ଆହୁରି ମଧ୍ୟ କହିଲେ, ସୁପ୍ରିମ୍ କୋର୍ଟ ଏମିତି କଲେ, ହାଇକୋର୍ଟମାନେ ବି ଏମିତି କରିବେ। ମୁଦା ଲଫାପା ସମ୍ପୂର୍ଣ୍ଣ ନ୍ୟାୟିକ ନୀତି ବିରୋଧୀ। କୌଣସି ବ୍ୟକ୍ତିବିଶେଷଙ୍କ ଜୀବନ ପ୍ରତି ବିପଦ ଥିବା କ୍ଷେତ୍ରରେ ହିଁ ମୁଦା ଲଫାପାରେ ଦଲିଲ୍ ଦାଖଲ କରାଯାଇପାରିବ।
ଏକଥା ଶୁଣି ଆଟର୍ଣ୍ଣି ଜେନେରାଲ୍ ଉକ୍ତ ରିପୋର୍ଟକୁ ପଢ଼ି ଶୁଣାଇଲେ। ସେ କହିଲେ ଯେ, ଥରକରେ ଏତେ ପରିମାଣର ଅର୍ଥ ଦେବାକୁ ବଜେଟ୍ ଅଟକଳ ସମର୍ଥ ନୁହେଁ। ସମ୍ବଳ ସୀମିତ ଏବଂ ବ୍ୟୟ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ଥରକରେ ଏତେ ଅର୍ଥ ଦେବାକୁ ଅସମର୍ଥ ବୋଲି ଅର୍ଥ ମନ୍ତ୍ରାଳୟ କହିଛି।
ସୂଚନାଯୋଗ୍ୟ, ‘ଓଆର୍ଓପି’ ବକେୟା ଦେୟ ଉପରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି.ଏସ୍. ନରସିଂହ ଓ ଜେ.ବି. ପାର୍ଦିୱାଲା ସମ୍ପ୍ରତି ‘ଇଣ୍ଡିଆନ୍ ଏକ୍ସ-ସର୍ଭିସ୍ମେନ୍ ମୋଭ୍ମେଣ୍ଟ୍ସ୍’ ଆବେଦନର ଶୁଣାଣି କରୁଛନ୍ତି।