ଟ୍ରେନ୍‌ରୁ ଉଦ୍ଧାର ହେଲା ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପଶିଥିବା ୭ଟି ବିଲୟମୁଖୀ ମିଶରୀୟ ଧଳା ଶାଗୁଣା

ଭୋପାଳ: ଗୁରୁବାର ଦିନ ମଧ୍ୟପ୍ରଦେଶ ପୁଲିସ ଖଣ୍ଡୱା ଜିଲ୍ଲାରେ ଏକ ଆନ୍ତଃ-ରାଜ୍ୟ ଶାଗୁଣା ଚୋରାଚାଲାଣକାରୀ ରାକେଟ୍‌ ଠାବ କରିବା ସହ କାନପୁରରୁ ମହାରାଷ୍ଟ୍ରର ମାଲେଗାଓଁକୁ ବେଆଇନ ଭାବେ ଟ୍ରେନ୍‌ରେ ନିଆଯାଉଥିବା ୭ଟି ମିଶରୀୟ ଶାଗୁଣା (ଧଳା ଶାଗୁଣା ବା ଫାରୋଙ୍କ କୁକୁଡ଼ା) ଉଦ୍ଧାର କରି ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି।

ସମ୍ପ୍ରତି ଏ ପ୍ରଜାତିର ଶାଗୁଣା କ୍ବଚିତ୍ ଦେଖାଯାଉଛନ୍ତି ଏବଂ ସେମାନଙ୍କୁ ବିଲୁପ୍ତପ୍ରାୟ ପକ୍ଷୀ ତାଲିକାଭୁକ୍ତ କରାଯାଇଛି।

ସୁଲ୍‌ତାନ୍‌ପୁର-ମୁମ୍ବାଇ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ର ଦ୍ବିତୀୟ ଶ୍ରେଣୀ ସ୍ଲିପର୍‌ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ କମ୍ପାର୍ଟମେଣ୍ଟ୍‌ରେ ଦୁର୍ଗନ୍ଧ ଏବଂ ପକ୍ଷୀମାନଙ୍କର ରବ ଶୁଣି ରେଳ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

Image Courtesy of Animal Spot

ସୂଚନା ପାଇ ରେଳବାଇ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ରାଜ୍ୟ ବନ ବିଭାଗ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ଉକ୍ତ କୋଚ୍‌ଟିକୁ ଘେରିଯାଇ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ କରିବା ପରେ ଶାଗୁଣାଗୁଡ଼ିକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଉଦ୍ଧାର କରିଥିଲେ। ଏହାପରେ ଶାଗୁଣା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନିଆଯାଇଥିଲା।

ଜେରା ବେଳେ ଫରିଦ୍‌ ଶେଖ୍ ନାମରେ ଉକ୍ତ ଚୋରାଚାଲାଣକାରୀ ବ୍ୟକ୍ତିଜଣକ କହିଥିଲେ ଯେ, କାନପୁର ସହରବାସୀ ସମୀର ଖାଁ ତାଙ୍କୁ ଏହି ଶାଗୁଣା ସବୁ କାନପୁର ରେଳ ଷ୍ଟେସନ୍‌ରେ ଦେଇଥିଲେ। ସେଗୁଡ଼ିକୁ ମାଲେଗାଓଁ ନେଇ ହସିମ୍‌ ନାମରେ ଜଣେ ବ୍ୟକ୍ତିଙ୍କୁ ଦେଇ ଦେବାକୁ ସେ ମୋତେ କହିଥିଲେ।

ଶାଗୁଣାଗୁଡ଼ିକର ପରିବହନ ବାବଦକୁ ସମୀର୍‌ ଖାଁ ଶେଖ୍‌ଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ।

ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଉଦ୍ଧାର ଶାଗୁଣାଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର