ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଯିବା‌ ପରେ ଦେଶ ଏବେ ଜବାବ ଅପେକ୍ଷାରେ ରହିଛି। ଆକ୍ରମଣକାରୀଙ୍କୁ କଡ଼ା ଜବାବ ମିଳିବ ବୋଲି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ, ଗୃ୍ହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଦି ଆରମ୍ଭରୁ କହି ଆସୁଛନ୍ତି।  ରାଜନାଥ ଆଜି ପୁଣିଥରେ ତାଙ୍କ ମତ ଦୋହରାଇ କହିଛନ୍ତି ଯେ, ଭାରତରେ ଯେଉଁମାନେ ଆକ୍ରମଣ ପାଇଁ ସାହସ କରିଛନ୍ତି ସେମାନଙ୍କୁ କଡ଼ା ଜବାବ ଦେବା ହେଉଛି ତାଙ୍କର ଦାୟିତ୍ବ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ଥିବାବେଳେ ରାଜନାଥଙ୍କର ଆଜିର ଟିପ୍ପଣୀକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।  

Advertisment

ରାଜନାଥ କହିଛନ୍ତି, ଯିଏ ଆମ ଦେଶ ଉପରେ ଆକ୍ରମଣ ପାଇଁ ସାହସ କରିଛି ତାକୁ ଜବାବ ଦେବା ମୋର ଦାୟିତ୍ବ। ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଏବଂ ନିଷ୍ଠାକୁ ଜାଣିଛନ୍ତି। ମୋଦୀଙ୍କ ଦକ୍ଷତା ଏବଂ ପ୍ରତିବଦ୍ଧତା ସଂକ୍ରାନ୍ତରେ ଆପଣମାନେ ଅବଗତ ଅଛନ୍ତି। ମୁଁ ଆପଣମାନଙ୍କୁ ଏହା ନିଶ୍ଚିତ କରୁଛି ‌ଯେ ଆପଣମାନେ ଯାହା ଆଶା କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେବ।  ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୋ ଦାୟିତ୍ବ ହେଉଛି ସେନାବାହିନୀ ସହ କାମ କରିବା ଏବଂ ଭାରତ ଉପରେ ଖରାପ୍‌ ଦୃଷ୍ଟି ପକାଇଥିବା ଶକ୍ତିକୁ କଡ଼ା ଜବାବ ଦେବା। ସଂସ୍କୃତି ଜାଗରଣ ମହୋତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ରାଜନାଥ ଆଜି ଏହି ଟିପ୍ପଣୀ ଦେଇଛନ୍ତି।  ଏଥିସହ ସେ କହିଛନ୍ତି, ଭାରତର ଶକ୍ତି ଏହାର ସେନାବାହିନୀରେ ନାହିଁ ବରଂ ଏହାର ସଂସ୍କୃତି ଓ ଆଧ୍ୟାତ୍ମିକତା ମଧ୍ୟରେ ଅଛି।

ଆପଣମାନେ ଯାହା ଆଶା କରୁଛନ୍ତି ମୋଦୀଙ୍କ ନେତୃତ୍ବରେ ତାହା ହେବ

ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ସହାୟତା କରିବୁ: ବ୍ରିଟେନ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଆତଙ୍କବାଦୀ ବିରୋଧୀ ଯୁଦ୍ଧରେ ବ୍ରିଟେନ ସର୍ବଦା ରହିଛି ଓ ରହିବ ବୋଲି ଏହାର ସଂସ୍କୃତି, ଗଣମାଧ୍ୟମ ଓ କ୍ରୀଡ଼ା ମନ୍ତ୍ରୀ ଲିସା ନନ୍ଦୀ କହିଛନ୍ତି। ଭାରତ- ବ୍ରିଟେଡ଼ ମଧ୍ୟରେ ନୂତନ ସାଂସ୍କୃତିକ ଚୁକ୍ତି ନିମନ୍ତେ ସଂସ୍କୃତି ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆଜି ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଲିସା କହିଛନ୍ତି, କଶ୍ମୀରରେ ଭୟାବହ ଆକ୍ରମଣ ପରେ ତାଙ୍କ ଦେଶର ପ୍ରଧାନମନ୍ତ୍ରୀ କେଅର୍‌ ଷ୍ଟାରମର୍‌ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ। ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଭାରତର ଆତଙ୍କବାଦ ବିରୋଧୀ ଯୁଦ୍ଧରେ ବ୍ରିଟେଡ଼ ଠିଆ ହୋଇଛି। ଆମେ ଜାଣିଛୁ ଯେ ଭାରତ ଏଭଳି ଆକ୍ରମଣ ଯୋଗୁ ଆଘାତପ୍ରାପ୍ତ। ଭାରତ ସହ ଆମର ସମ୍ପର୍କ ଅତି ପୁରାତନ ଓ ଗଭୀର। ଯେତେବେଳେ ଭାରତକୁ ଆଘାତ ଲାଗେ, ଆମକୁ ମଧ୍ୟ କଷ୍ଟ ହୁଏ। ଭାରତର ଏହି ଆତଙ୍କବାଦ ବିରୋଧୀ ଯୁଦ୍ଧକୁ ସେ ନିଜେ କିଛି ମିନିଟ୍‌ର ନିରବ ପ୍ରାର୍ଥନା ଦ୍ବାରା ସମର୍ଥନ ଜଣାଇଛନ୍ତି। ନିଜର ଗସ୍ତ ସମ୍ପର୍କରେ ସୂଚନା ଦେଇ ଲିସା କହିଛନ୍ତି, ଚଳଚ୍ଚିତ୍ର, ଫ୍ୟାସନ, ଟିଭି, ଗେମିଂ ଆଦି ସମସ୍ତ ରଚନାତ୍ମକ ଶିଳ୍ପରେ ଭାରତ ଓ ବ୍ରିଟେନ ପରସ୍ପର ସହଯୋଗ ଦ୍ବାରା ବାସ୍ତବରେ ଉନ୍ନତି କରିପାରିବେ।