ଇଡିର ଇ-ମେଲ୍ ଓ ମୁମ୍ବାଇ ପୁଲିସର ଅନୁରୋଧ ପରେ ଇଡି କାର୍ଯ୍ୟାଳୟ ଯିବା ନିଷ୍ପତ୍ତିରୁ ଓହରିଲେ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନ ପାଇବା ପରେ ଶୁକ୍ରବାର ଏନସିପି ମୁଖ୍ୟ ଶରଦ ପାୱାର ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ଆଜି ଇଡି ଅଫିସକୁ ବାହାରି ଥିବା ବେଳେ ଇଡି ପକ୍ଷରୁ ନ ଆସିବା ଲାଗି ଇମେଲ୍ କରାଯାଇଛି। ଏହି ଇମେଲ୍ ଅନୁସାରେ, ମାମଲା ସଂପର୍କରେ ଅବଗତ ହେବା ଲାଗି ପାୱାର ଆଜି ଇଡି ଅଫିସ ଆସିବାର ଆବଶ୍ୟକତା ନାହିଁ, ଆବଶ୍ୟକତା ହେଲେ ତାଙ୍କୁ ଏ ନେଇ ଅବଗତ କରାଯିବ । ଏହି ଇମେଲ୍ ସଂପର୍କରେ ସୂଚନା ଦେଇଛନ୍ତି ଏନସିପିର ବରିଷ୍ଠ ନେତା ନୱାବ ମଲିକ।

ଅନ୍ୟ ପକ୍ଷରେ ଇଡିର ମେଲ୍ ପରେ ମୁମ୍ବାଇ ପୁଲିସ କମିସନର ସଞ୍ଜୟ ବାର୍ବେ ଶରଦ ପାୱାରଙ୍କୁ ମୁମ୍ବାଇର ଇଡି ଅଫିସକୁ ନ ଯିବା ଲାଗି ଅନୁରୋଧ କରିଥିଲେ। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ଶରଦ ପାୱାର ନ ଆସିବା ଲାଗି ଅନୁରୋଧ କରାଯାଇଥିଲା।

HT

ଏହାପରେ ଶରଦ ପାୱାର ନିଜର ଭୁଲାଭାଇ ଦେଶାଇ ରୋଡ ବାସଭବନ ସାମ୍ନାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଇଡି ଅଫିସ ଯିବା କାର୍ଯ୍ୟକ୍ରମକୁ ବାତିଲ୍ କରିଥିବା ଜଣାଇଛନ୍ତି।
ତେବେ ଏହାକୁ ନେଇ ମୁମ୍ବାଇରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ମୁମ୍ବାଇର ପିୟରରେ ଥିବା ଇଡି କାର୍ଯ୍ୟାଳୟ ସହ ଦକ୍ଷିଣ ମୁମ୍ବାଇରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ନିଷେଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି | ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏନସିପି କର୍ମୀଙ୍କ ବିରୋଧକୁ ଆଶଙ୍କା କରି ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି |
ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲଗା ଯାଇଥିବାବେଳେ ୭ଟି ଥାନା ଅଂଚଳକୁ ମଧ୍ୟ ପୁଲିସ ଛାଉଁଣିରେ ପରିଣତ କରାଯାଇଛି | ମୁମ୍ବାଇର କୋଲାବା, କାଫେ ପରେଡ, ମେରାଇନ ଡ୍ରାଇଭ, ଆଜାଦ ମୈଦାନ, ଡଙ୍ଗରୀ, ଜେଜେ ମାର୍ଗ ଓ ଏମାରଏ ମାର୍ଗ ଅଂଚଳରେ ୧୪୪ ଧାରା ଜରି କରାଯାଇଛି |

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ରୁଜୁ କରିବା ପରେ ଏହାକୁ ନେଇ ମହାରାଷ୍ଟ୍ରରେ ଆଜି ଜୋର୍ଦାର ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲାରେ ଇଡି ଏଫ୍ଆଇଆର୍ ରୁଜୁ କରିଥିବାରୁ ଗତ କାଲି ହଜାର ହଜାର ଏନସିପି କର୍ମୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁମ୍ବାଇରେ ଇଡି କାର୍ଯ୍ୟାଳୟ ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର