ନୂଆଦିଲ୍ଲୀ: ଭାରତ ନିଜର ପାରମ୍ପରିକ ବନ୍ଧୁ ରୁଷିଆକୁ ହରାଇବାକୁ ଚାହୁଁ ନାହିଁ। ଯଦିଓ ଆମେରିକା ରୁଷିଆରୁ ତୈଳ କିଣୁଥିବାରୁ ଭାରତକୁ ଧମକ ଦେଇଛି। କିନ୍ତୁ ଏହାକୁ ଭାରତ ଭୟ କରୁ ନାହିଁ। ଏହି କାରଣରୁ ଭାରତ ନା ରୁଷିଆରୁ ତୈଳ ଆମଦାନି ବନ୍ଦ କରିଛି ନା ଆମେରିକାଠାରୁ କିଛି ମାଗିଛି। ରୁଷିଆ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଡୋଭାଲ ଏକ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି। ଜୟଶଙ୍କର ମଧ୍ୟ ଅଗଷ୍ଟ ଶେଷରେ ରୁଷିଆ ଗସ୍ତ କରିବେ।
ପ୍ରତିରକ୍ଷା ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ଜେଏସ ସୋଧିଙ୍କ ମତରେ, ଭାରତ ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି। କାରଣ ରୁଷିଆ ଦୀର୍ଘ ସମୟ ଧରି ଆମର ବିଶ୍ୱସ୍ତ ସହଯୋଗୀ ହୋଇଆସିଛି। ଡୋଭାଲ ଏବଂ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଏହି ସମ୍ପର୍କକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଭାରତ ନିଷ୍ପତ୍ତି ନେଇଛି ଯେ, ଆମେରିକା ସହିତ ଶତ୍ରୁତା ଗ୍ରହଣୀୟ, କିନ୍ତୁ କୌଣସି ମୂଲ୍ୟରେ ରୁଷିଆ ସହିତ ବନ୍ଧୁତା ଭାଙ୍ଗିବ ନାହିଁ। ଏହି କାରଣରୁ ଡୋଭାଲଙ୍କ ପରେ ଏବେ ଜୟଶଙ୍କର ମଧ୍ୟ ମସ୍କୋ ଗସ୍ତ କରିବେ।
ପ୍ରତିରକ୍ଷା ବିଶେଷଜ୍ଞ ଜେଏସ ସୋଧି କହିଛନ୍ତି ଯେ, ଭାରତ ଋଷିଆଠାରୁ ଅଧିକ ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଚାହୁଁଛି ଯାହା ଅପରେସନ ସିନ୍ଦୂରରେ ପାକିସ୍ତାନର କ୍ଷେପଣାସ୍ତ୍ରକୁ ବିଫଳ କରିଥିଲା। ଏହି ପ୍ରତିରକ୍ଷା ପ୍ରଣାଳୀ ସାହାଯ୍ୟରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ତୁର୍କୀ ଡ୍ରୋନ ଏବଂ ଚୀନ୍ କ୍ଷେପଣାସ୍ତ୍ର ନଷ୍ଟ କରାଯାଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ଭାରତ ରୁଷିଆଠାରୁ ପଞ୍ଚମ ପିଢ଼ିର ଏସୟୁ-୫୭ ଲଢ଼ୁଆ ବିମାନ କିଣିବାକୁ ଯୋଜନା କରୁଛି। ଭାରତ ଏସ-୪୦୦ ପାଇଁ ଏମଆରଓ(ରକ୍ଷାଣବେକ୍ଷଣ, ମରାମତି ଏବଂ ପରିଚାଳନା) ସୁବିଧା ନିର୍ମାଣ କରିବାକୁ ଯୋଜନା କରୁଛି। ଅପରେସନ୍ ସିନ୍ଦୂର ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଏଫ-୩୫ ଲଢ଼ୁଆ ବିମାନ ପ୍ରଦାନ କରିବାକୁ ଅଫର ଦେଇଥିବା ରିପୋର୍ଟ ଆସିଥିଲା। କିନ୍ତୁ, ଭାରତ ଏପର୍ଯ୍ୟନ୍ତ ଏହା ଉପରେ ବିଚାର କରିନାହିଁ। ଟ୍ରମ୍ପ୍ଙ୍କ ସହଯୋଗୀ ଥିବା ସ୍ପେସ୍ଏକ୍ସ ମାଲିକ ଏଲନ୍ ମସ୍କ ଏହି ବିମାନକୁ ପରାପ ରହିଥିବା ବର୍ଣ୍ଣନା କରିଛନ୍ତି। ଭାରତ ଆମେରିକାର ଏଫ-୩୫ ତୁଳନାରେ ରୁଷିଆର ଏସୟୁ-୫୭ ଲଢ଼ୁଆ ବିମାନ କିଣିବାକୁ ଆଗ୍ରହ ଦେଖାଇଛି। ମିଗ୍-୨୧ ଅବସର ନେବା ପରେ ଭାରତୀୟ ବାୟୁସେନାରେ ଏହାର ଆବଶ୍ୟକତା ଅନୁଭୂତ ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ରୁଷିଆ ସହିତ ବନ୍ଧୁତା ବୃଦ୍ଧି କରୁଛି କାରଣ ରୁଷିଆ ସହିତ ବନ୍ଧୁତା ଖଣିଜ ସମୃଦ୍ଧ ଆର୍କଟିକ ଅଞ୍ଚଳରେ ସହଯୋଗ ବୃଦ୍ଧି କରିବ। ଏହା ସହିତ, ରୁଷିଆକୁ ଭାରତର ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଜୟଶଙ୍କର ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭଙ୍କୁ ଭେଟିବା ସମୟରେ ଏନେଇ ଆଲୋଚନା କରାଯିବ ବୋଲି କୁହଯାଉଛି।
ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ, ଭାରତ ଚଳିତ ବର୍ଷ ଭାରତ-ରୁଷିଆ ଶିଖର ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଯଦି ଏହା ହୁଏ, ତେବେ ୨୦୨୧ ପରେ ପୁଟିନ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ।
ଭାରତ ରୁଷିଆ ସହିତ ଯଥାସମ୍ଭବ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବ। ଏହା ସହିତ ଶକ୍ତି କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା ରହିଛି। ୟୁରୋପୀୟ ସଂଘ ରୁଷିଆର ଶକ୍ତି କ୍ଷେତ୍ର ଉପରେ କଟକଣା ଲଗାଇଛି। ଏପରିସ୍ଥଳେ ଭାରତ ବେସାମରିକ ପରମାଣୁ ସହଭାଗୀତା, ଆର୍କଟିକ୍ ସହଯୋଗ ସମେତ ଉଚ୍ଚ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାର ଯୋଜନା ରହିଛି। ଜୟଶଙ୍କର ଏଥିପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିବେ।
ରୁଷିଆ ଚାହୁଁଛି ଯେ, ଭାରତ ଆର୍କଟିକ ଅଞ୍ଚଳରେ ନିଜର ଭୂମିକାକୁ ଆହୁରି ବିସ୍ତାର କରୁ ଏବଂ ଏକ ପରମାଣୁ ଶକ୍ତି କେନ୍ଦ୍ର ପାଇଁ ଆଧାର ପ୍ରସ୍ତୁତ କରୁ। ଏହା ଭାରତରେ ଛୋଟ ମଡ୍ୟୁଲାର ରିଆକ୍ଟର ସ୍ଥାପନ ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଜୟଶଙ୍କରଙ୍କ ମସ୍କୋ ଗସତ ସମୟରେ ଛୋଟ ପରମାଣୁ ରିଆକ୍ଟର ସ୍ଥାପନ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା କୁହଯାଉଛି।
ଅଧିକ ପଢ଼ନ୍ତୁ:ଉପରାଷ୍ଟ୍ରପତି ନିର୍ବାଚନ:ଏନଡିଏରେ ସହମତି ପାଇଁ ପ୍ରୟାସ, ରକ୍ଷାବନ୍ଧନ ପରେ ଆଲୋଚନା!
India | USA | Russia | donald-trump | Narendra Modi | pm-narendra-modi | vladimir-putin | S Jaishankar | ajit-doval