ନୂଆଦିଲ୍ଲୀ: କରୋନାଭାଇରସ୍ ସମ୍ବନ୍ଧୀୟ ନିୟମାବଳୀ ପ୍ରତି ବେପରୁଆ ନ ହେବା ଲାଗି ଶନିବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏଥିସହ କେନ୍ଦ୍ର ସରକାର ସମ୍ପୃକ୍ତ ପ୍ରଶାସନମାନଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କୋଭିଡ୍-୧୯ ମାମଲା ଦ୍ରୁତ ବୃଦ୍ଧି ପାଉଥିବା ଲକ୍ଷଣଗୁଡ଼ିକ ଉପରେ କଡ଼ା ନଜର ରଖନ୍ତୁ।
କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣ ମାନିବା ଏବଂ ‘ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍’ ବ୍ୟବସ୍ଥା ଯେମିତି ଉପେକ୍ଷିତ ନ ହୁଏ ସେଥିପ୍ରତି ସେମାନେ ଯତ୍ନବାନ ରହିବେ।
ଦୈନିକ ନୂତନ ସଂକ୍ରମଣ ଧାରା ହ୍ରାସ ପାଉଥିବା ଦୃଷ୍ଟିରୁ କେତେକ ରାଜ୍ୟ କୋଭିଡ୍-୧୯ କଟକଣା କୋହଳ କରୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଏମିତି ସତର୍କ ସୂଚନା ଆସିଛି।
ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅଛି, ସକ୍ରିୟ ସଂକ୍ରମଣ ସଂଖ୍ୟାରେ ଅବନତି ଘଟୁଥିବାରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଟକଣା କୋହଳ କରିବା ଆରମ୍ଭ କଲେଣି। ମୁଁ ଗୁରୁତ୍ବାରୋପ କରି କହୁଛି ଯେ, କ୍ଷେତ୍ରବିଶେଷର ପରିସ୍ଥିତିର ମୂଲ୍ୟାୟନ ଆଧାରରେ କଟକଣା ଜାରି ଓ କୋହଳ କରିବା ନିଷ୍ପତ୍ତି ନିଆଯାଉ। ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବିଭିନ୍ନ କାର୍ଯ୍ୟକଳାପ ଉନ୍ମୁକ୍ତ କରିବାକୁ ଯାଉଥିବା ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ସୁନିଶ୍ଚିତ ହେବା ଉଚିତ ଯେ, କଟକଣା କୋହଳ ପ୍ରକ୍ରିୟା ସାବଧାନତାର ସହ ସମନ୍ବୟ ରକ୍ଷାକରି ଚାଲିଛି।
ବାଧ୍ୟତାମୂଳକ ମାସ୍କ ପରିଧାନ, ହସ୍ତ ବିଶୋଧନ, ଶାରୀରିକ ଦୂରତ୍ବ, ଆବଦ୍ଧ ସ୍ଥାନରେ ଉପଯୁକ୍ତ ବାୟୁ ଚଳାଚଳ ଆଦି ନିୟମ କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣର ପଞ୍ଚସୂତ୍ରୀ ରଣନୀତି ଅନ୍ତର୍ଭୁକ୍ତ। ଦେଶର କୋଭିଡ୍-୧୯ ପରିସ୍ଥିତିକୁ ନ ବିଗାଡ଼ିବା ଲାଗି ଏହି ନିୟମାବଳୀ ପ୍ରତି ନିୟମିତ ଦୃଷ୍ଟି ରଖିବା ଅପରିହାର୍ଯ୍ୟ ବୋଲି ଗୃହ ମନ୍ତ୍ରାଳୟ କହିଛି।
ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସଫଳ ଟିକାକରଣ ଅଭିଯାନ ଅତ୍ୟାବଶ୍ୟକ। ତେଣୁ, ଦ୍ରୁତ ଧାରାରେ ଯଥା ସମ୍ଭବ ଅଧିକ ଲୋକଙ୍କୁ ଟିକା ଦେବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ପଦକ୍ଷେପ ତ୍ବରିତ କରିବା ଉଚିତ।