ଟିକା ପହଞ୍ଚାଇବା ପାଇଁ ନିର୍ବାଚନ ଭଳି ବ୍ୟବସ୍ଥା କର, ବିଶ୍ବ ସମୁଦାୟକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରୁହ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦ୍ରୁତ ଟିକା ଯୋଗାଣ ନିମନ୍ତେ ବ୍ୟବସ୍ଥା କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସଫଳ ନିର୍ବାଚନ ଓ ବିପର୍ଯ୍ୟୟ ପରିଚାଳନା ଅନୁଭୂତିକୁ ଉପଯୋଗ କରି ଏକ ସୁବ୍ୟବସ୍ଥିତ ଟିକା ବଣ୍ଟନ ଏବଂ ପ୍ରଶାସନିକ ପ୍ରକ୍ରିୟା ଜାରି କରାଯିବା ଉଚିତ।

ଏହି ପ୍ରକ୍ରିୟାରେ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ, ସମସ୍ତଙ୍କୁ ସମ୍ପୃକ୍ତ କରାଯିବା ଏବଂ ଏଥିନିମନ୍ତେ ଏକ ସୁଦୃଢ଼ ‘ଆଇଟି’ ଭିତ୍ତିଭୂମି ରହିବା ଉଚିତ ବୋଲି ଆଜି କୋଭିଡ୍‌-୧୯ ପ୍ରସ୍ତୁତି ସଙ୍କ୍ରାନ୍ତ ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଦେଇ କହିଛନ୍ତି।

Image Courtesy of Express Pharma

ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ହ୍ରାସ ପାଉଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଉଲ୍ଲେଖ କରିଥିଲେ। କିନ୍ତୁ, ସଂକ୍ରମଣ ହାର ହ୍ରାସ ପାଉଥିବା କାରଣରୁ ଆତ୍ମସନ୍ତୁଷ୍ଟ ନ ହେବାକୁ ସେ ସତର୍କ କରାଇ ଦେଇଛନ୍ତି। ଅଧିକାରୀମାନଙ୍କୁ ସେ ଆହୁରି ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ, ଦେଶରେ ଦ୍ରୁତ ଟିକା ଯୋଗାଣ ବ୍ୟବସ୍ଥା କରିବା ବେଳେ ଭୌଗୋଳିକ ସ୍ଥିତି ଏବଂ ବିବିଧତା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।

ଟିକା ପରିବହନ, ‌ବଣ୍ଟନ ଏବଂ ପ୍ରଦାନ ଆଦି ପ୍ରତ୍ୟେକ କ୍ଷେତ୍ରରେ କଡ଼ା ଦୃଷ୍ଟି ଦେବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ ପୁଣି କହିଲେ ଯେ, କେବଳ ଭାରତ ଓ ତା’ର ପାଖ ପଡ଼ୋଶୀ ଦେଶ ଲାଗି ନୁହେଁ, ବିଶ୍ବ ସମୁଦାୟ ନିମନ୍ତେ ପ୍ରସ୍ତୁତି ହେବା ଉଚିତ।

ସମ୍ବନ୍ଧିତ ଖବର