କୋଲକାତା: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁରରେ ହେବ ଉପନିିର୍ବାଚନ। ଏହି ଆସନ ପାଇଁ ଟିଏମସିରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା ଟିବ୍ରେୱାଲ। ତେବେ ମତଦାନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଲକେଟ ଚାଟର୍ଜୀ ଟିଏମସି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏଭଳି ଚର୍ଚ୍ଚାକୁ ଭିତ୍ତିହୀନ ବୋଲି କହିଛନ୍ତି ଲକେଟ ଚାଟାର୍ଜୀ ।
ସୂଚନା ମୁତାବକ, ଷ୍ଟାର ପ୍ରଚାରକ ହୋଇ ମଧ୍ୟ ପ୍ରିୟଙ୍କା ଟିବ୍ରେୱାଲଙ୍କ ପାଇଁ ପ୍ରଚାର କରୁନଥିବାରୁ ସେ ଟିଏମସିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏନେଇ ଟୁଇଟ କରି ଲକେଟ ଚାଟାର୍ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ କୁନାଲ ଘୋଷ। ସେ ଲେଖିଥିଲେ ଯେ, ଭବାନୀପୁରରେ ପ୍ରଚାର ନକରିଥିବାରୁ ଧନ୍ୟବାଦ ଏବଂ ଅଭିନନ୍ଦନ ଷ୍ଟାର ପ୍ରଚାରକ ଲକେଟ ଚାଟାର୍ଜୀ। ବିଜେପିର ଅନେକ ଅନୁରୋଧ ସତ୍ତ୍ବେ ଆପଣ ତାହା କରି ନାହାଁନ୍ତି। ଜଣେ ବନ୍ଧୁ ଭାବରେ, ଆପଣ ଯେଉଁଠାରେ ଥାଆନ୍ତୁ ଆପଣଙ୍କୁ ସଫଳତା ମିଳୁ, ଏହା ହିଁ କାମନା କରୁଛି। ଦୁନିଆ ବହୁତ ଛୋଟ। ଆଶା କରୁଛି ତୁମେ ତୁମର ରାଜନୈତିକ ଇନିଂସ ଆରମ୍ଭ କରିଥିବା ସେହି ଦିନଗୁଡ଼ିକ ପୁଣି ଫେରିବ।

ଏହାର ଜବାବରେ ଲକେଟ ଚାଟାର୍ଜୀ ଲେଖିଥିଲେ ଯେ, ମମତା ବାନାର୍ଜୀ ଭବାନୀପୁରରୁ ଯେମିତି ହାରିବେ ନାହିଁ, ଆପଣ ତାହା ଉପରେ ଧ୍ୟାନ ଦେବା ଉଚିତ୍। ଏହା ସହ ଟିଏମସିରେ ଯୋଗ ଦେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରଶ୍ନ କରାଯିବା ପରେ ଲକେଟ ଚାଟାର୍ଜୀ କହିଥିଲେ ଯେ, ମୁଁ ଏବେ ଉତ୍ତରାଖଣ୍ଡ ଉପରେ ଧ୍ୟାନ ଦେଉଛି। ଭବାନୀପୁର ପାଇଁ ଦିଲୀପ ଘୋଷ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ଷ୍ଟାର ପ୍ରଚାରକ ଅଛନ୍ତି। ମମତା ବାନାର୍ଜୀଙ୍କ ଜିତିବା ନେଇ ସନ୍ଦେହ ସୃଷ୍ଟି ହେଉଥିବାରୁ ଏହି ମିଥ୍ୟା ଖବର ସାମ୍ନାକୁ ଆସୁଛି।