କେନ୍ଦ୍ର ସରାକରଙ୍କୁ ସୁପ୍ରିମ୍ କୋର୍ଟଙ୍କ ଆଦେଶ: ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ବେତନ ପ୍ରଦାନ ବିଷୟରେ ରାଜ୍ୟମାନଙ୍କୁ ନିର୍ଦେଶାବଳୀ ଜାରି କର

ନୂଆଦିଲ୍ଲୀ: କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କର ବେତନ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ଏକ ନିର୍ଦେଶନାମା ଜାରି କରିବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଏହା ସହ ସୁପ୍ରିମ୍ କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ ଏହି ଆଦେଶ ସମ୍ପନ୍ନ କରା ନ ଯିବାକୁ କଠୋର ଦୃଷ୍ଟିରେ ଦେଖାଯିବ। ଏହାଛଡ଼ା, ମାସେ ମଧ୍ୟରେ ବେତନ ପ୍ରଦାନର ରିପୋର୍ଟ ଫାଇଲ୍ କରିବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସଂକ୍ରମଣ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ କ୍ବାରେଣ୍ଟିନ୍ ସୁବିଧା ପାଇଁ ମନା କରିବା ଅନୁଚିତ ବୋଲି ମଧ୍ୟ ସୁପ୍ରିମ୍ କୋର୍ଟ କହିଛନ୍ତି।

Image Courtesy of The Economic Times

ଶୁଣାଣି ସମୟରେ କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଅଦାଲତଙ୍କୁ କହିଲେ ଯେ, ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଶ୍ଚିତ ବେତନ ଦିଆଯିବା ଉଚିତ‌ ବୋଲି କହି କେନ୍ଦ୍ର ସରକାର ଏକ ସର୍କ୍ୟୁଲାର୍ ଜାରି କରିସାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟମାନଙ୍କୁ ନିର୍ଦେଶାବଳୀ ଜାରି କରାଯିବ ଏବଂ ଠିକଣା ସମୟରେ ବେତନ ପ୍ରଦାନ ବାବଦରେ ମୁଖ୍ୟ ଶାସନ ସଚିବମାନେ ଦାୟୀ ରହିବେ। ବେତନ ପ୍ରଦାନ ନ ହେବା ‘ଏନ୍‌ଡିଏମ୍‌ଏ ଆଇନ୍’ ଦ୍ବାରା ଅପରାଧିକ ପ୍ରମାଦ ବୋଲି ଘୋଷଣା କରାଯିବ।

ଡାକ୍ତର ଆରୁଷି ଜୈନ୍‌ଙ୍କ ଦ୍ବାରା ଫାଇଲ୍ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ ଏ କଥା କହିଛନ୍ତି। ଅଗ୍ରଣୀ ଡାକ୍ତରୀ କର୍ମଚାରୀଙ୍କ ପାଇଁ କ୍ବାରେଣ୍ଟିନ୍ ସୁବିଧା ନିମନ୍ତେ ସରକାର ଖାଲି ହୋଟେଲ୍ ଏବଂ ଗେଷ୍ଟ୍‌ହାଉସ୍‌ଗୁଡ଼ିକୁ ଅକ୍ତିଆର କରିନ୍ତୁ ବୋଲି ଆରୁଷି ଅଦାଲତଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର