ଶ୍ରୀନଗର : ପାକିସ୍ତାନ ଅଧିକୃତ କଶ୍ମୀରରୁ ୨୦ରୁ ଅଧିକ ହିଜ୍ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି। ପାକିସ୍ତାନ ସେନା ସହାୟତାରେ ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ସଫଳ ହୋଇଥିବାରୁ ଜମ୍ମୁ କଶ୍ମୀର, ପଂଜାବ ଏବଂ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଉରି, ପଠାନକୋଟ ଓ ସୁଂଜୁଓ୍ଵାନ୍ ଭଳି ଆକ୍ରମଣ ଘଟଣାକୁ ଏଡ଼ାଇବା ପାଇଁ ସୁରକ୍ଷା ବାହିନୀ ସର୍ବାଧିକ ସତର୍କ ରହିଛି ଏବଂ ଦକ୍ଷିଣ କଶ୍ମୀରରେ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଆତଙ୍କବାଦୀମାନେ ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ବେଳେ ସେମାନେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ଆସିଥିବା ଗୁଇନ୍ଦା ସଂସ୍ଥାକୁ ଖବର ମିଳିଛି। ଅନୁପ୍ରବେଶ କରିଥିବା କିଛି ଆତଙ୍କବାଦୀ ଦିଲ୍ଲୀ ଏବଂ ପଂଜାବରେ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ନେଇ ମଧ୍ୟ ଖବର ମିଳିଥିବାରୁ ଉଭୟ ରାଜ୍ୟର ପୁଲିସ ପ୍ରଶାସନକୁ ସତର୍କ ରଖାଯାଇଛି। ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ଏକ ବଡ଼ କ୍ୟାମ୍ପ୍ ପ୍ରାୟ ୩ ମାସ ଧରି ପିଓକେରେ ଚାଲିଥିଲା ଏବଂ ପାକ୍ ସେନାର ସହାୟତାକ୍ରମେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଏହି ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। କଶ୍ମୀର ଉପତ୍ୟକାର ସମସ୍ତ ସମ୍ବେଦଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ପୁଲଓ୍ଵାମା ଓ ତ୍ରାଲ ଅଂଚଳର କେତେକ ସ୍ଥାନରେ ଘରକୁ ଘର ତଲାସି ମଧ୍ୟ ନିଆଯାଉଛି। ଜୈଶ ସଂଗଠନ ସହ ଗୁପ୍ତ ସଂପର୍କ ରଖିଥିବା କିଛି ସ୍ଥାନୀୟ ନାଗରିକ ଆତଙ୍କବାଦୀଙ୍କୁ ସହଯୋଗ କରୁଛନ୍ତି ଏବଂ ସେମାନଙ୍କୁ ଅସ୍ତ୍ର ଓ ଅର୍ଥ ଯୋଗାଇବା ପାଇଁ ଉଦ୍ୟମ ହେଉଛି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଯାଇଛି।
ଭାରତୀୟ ସେନାର ସୁଦୃଢ଼ ପହରା ସତ୍ତ୍ୱେ ବ୍ୟାପକ ସୀମା ଅଂଚଳରେ ରହିଥିବା ଗଳାବାଟର ସୁଯୋଗ ନେଇ ଆତଙ୍କବାଦୀମାନେ ପିର୍ ପଞ୍ଜଲ ପର୍ବତ ଦେଇ ଭାରତକୁ ଅନୁପ୍ରବେଶ କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଚକ୍୍ମା ଦେବାପାଇଁ ଆତଙ୍କବାଦୀ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ଅନୁପ୍ରବେଶ କରିଥିବା ସମସ୍ତ ଆତଙ୍କବାଦୀ ତାଲିମପ୍ରାପ୍ତ ବୋଲି ଜମ୍ମୁ କଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଆତଙ୍କବାଦୀମାନେ ଅଧିକ ଦିନ କୌଣସି ସ୍ଥାନରେ ଆତ୍ମଗୋପନ କରି ରହିପାରିବେ ନାହିଁ ବୋଲି ସେ କହିଛନ୍ତି।
ଗୁଇନ୍ଦା ସୁତ୍ରରୁ ଜଣାଯାଇଛି ଯେ ଆସନ୍ତା ଶନିବାର ଦିନ ତଥା ରମଜାନ୍ର ୧୭ତମ ଦିନରେ ଜେଇଏମ୍ ଆତଙ୍କବାଦୀମାନେ ଭାରତରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ଗତବର୍ଷ ମଧ୍ୟ ରମଜାନ ସମୟରେ ଜେଇଏମ୍ ଆତଙ୍କବାଦୀମାନେ କଶ୍ମୀରରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଆଜି ଦକ୍ଷିଣ କଶ୍ମୀରର ପୁଲ୍ଓ୍ଵାମା ଏବଂ ତ୍ରାଲରେ ଆତଙ୍କବାଦୀମାନେ ସିଆପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁଲଓ୍ଵାମାରେ ୧୮୩ ବାଟାଲିଅନ୍ର ୨ଟି ଗାଡ଼ି ଉପରେ ଗ୍ରେନେଡ ମାଡ଼ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସେହିଭଳି ଅନନ୍ତନାଗରେ ମଧ୍ୟ ସିଆର୍ପିଏଫ୍୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରି ଖସି ଯାଇଥିବା ଜଣାପଡ଼ିଛି। ଏଥିରେ ୨ ଜଣ ଯବାନ ଓ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି।
ପଶିଲେ ୨୦ ଆତଙ୍କବାଦୀ:ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଦିଲ୍ଲୀରେ ହାଇଆଲର୍ଟ
୩ଟି ସ୍ଥାନରେ ଆକ୍ରମଣ:୪ ଯବାନଙ୍କ ସମେତ୫ ଆହତ
/sambad/media/post_attachments/wp-content/uploads/2018/06/alert.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)