ଡିସେମ୍ବର ୨୯ରେ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ କୃଷକ ସଂଗଠନ, ୩୦ରେ କରିବାକୁ କହିଲେ କେନ୍ଦ୍ର ସରକାର

ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ କରିବାକୁ କେନ୍ଦ୍ରର ନିଷ୍ପତ୍ତି

ନୂଆଦିଲ୍ଲୀ: ସିଙ୍ଘୁ ସୀମା‌ରେ ଡିସେମ୍ବର ୨୬ରେ ଆୟୋଜିତ ହୋଇଥିବା ବୈଠକରେ ସରକାର ଦେଇଥିବ‌ା ପ୍ରସ୍ତାବ ଉପରେ ଆଲୋଚନା କରି ଡିସେମ୍ବର ୨୯ ଦିନ ୧୧ଟାରେ ବୈଠକ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କୃଷକ ସଂଗଠନ। ହେଲେ ଆଜି ବୈଠକ ପାଇଁ ଏକ ନୂଆ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୨୯ ପରିବର୍ତ୍ତେ ଡିସେମ୍ବର ୩୦ରେ ବୈଠକ କରିବାକୁ କେନ୍ଦ୍ର ସରକାର କୃଷକ ସଂଗଠନର ମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ସହ ଡିସେମ୍ବର ୩୦ ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ani

ଡିସେମ୍ବର ୨୬ରେ ବୈଠକର ତାରିଖ ଘୋଷଣା କରି ସଂଯୁକ୍ତ କିସାନ୍ ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା ଯେ, ଦୁଃଖର ବିଷୟ ହେଲା ସରକାର ଦେଇଥିବା ଚିଠିରେ ପୂର୍ବ ବୈଠକର ତଥ୍ୟ ଲୁଚାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି।  ଆମେ ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଆସିଛୁ | ସରକାର ଆମ ଦାବିକୁ ବଦଳାଇ ଏଭଳି ଉପସ୍ଥାପନ କରିଛନ୍ତି ଯେମିତି ଆମେ ଏହି ଆଇନରେ ସଂଶୋଧନ ଦାବି କରିଛୁ। ସରକାର ନିଜ ଚିଠିରେ କହିଛନ୍ତି ଯେ, ସେ କୃଷକମାନଙ୍କ କଥା ଶୁଣିବାକୁ ଚାହୁଁଛନ୍ତି। ଯଦି ସରକାର ପ୍ରକୃତରେ ଏହା କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ, ଆମେ ଆଲୋଚନାରେ ଉଠାଇଥିବା ପ୍ରସଙ୍ଗଗୁଡିକୁ ଭୁଲ ଭାବେ ଦର୍ଶାଇବା ବନ୍ଦ କରନ୍ତୁ ।

ଉଲ୍ଲେଖଯୋଗ୍ୟ, ଗତ ୧ମାସ ହେଲାଣି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏ ମଧ୍ୟରେ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ଗ୍ରହଣ କରିନେବା ପାଇଁ ଚାଷୀମାନଙ୍କୁ ରାଜି କରିବାରେ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ ନିକଟକୁ ସମାଧାନ ପାଇଁ ଅନେକ ପ୍ରସ୍ତାବ ପଠାଇଥିଲେ ମଧ୍ୟ ଏହାକୁ ମାନିବାକୁ ଚାଷୀ ମନା କରିଦେଇଛନ୍ତି। ତେବେ ଡିସେମ୍ବର ୩୦ରେ କିଛି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର