ମହିଳାଙ୍କୁ ମସଜିଦ୍‌ ମଧ୍ୟକୁ ପ୍ରବେଶାଧିକାର; କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୁସଲମାନ ମହିଳାମାନଙ୍କୁ ମସଜିଦ୍‌ ମଧ୍ୟକୁ ପ୍ରବେଶାଧିକାର ପ୍ରଦାନ ସହ ନମାଜ ପାଠ ଓ ପ୍ରାର୍ଥନା କରିବାକୁ ଅନୁମତି ପ୍ରଦାନ ପାଇଁ ଆଗତ ଏକ ମାମଲାକୁ ଆଜି ସୁପ୍ରିମ୍‌ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ପୁଣେର ଏକ ମୁସଲମାନ ଦମ୍ପତିଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ବିଚାର ପାଇଁ ଗ୍ରହଣ କରିବା ସହ ଏ ମାମଲାରେ କେନ୍ଦ୍ର ସରକାର, ଜାତୀୟ ମହିଳା କମିଶନ, ସେଣ୍ଟ୍ରାଲ ଓ୍ଵାକଫ୍‌ କାଉନସିଲ୍‌ ଓ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସୋନେଲ ଲ ବୋର୍ଡକୁ ନୋଟିସ୍‌ ଜାରି କରିଛନ୍ତି।

ପୁଣେର ଏହି ମୁସଲମାନ ଦମ୍ପତି ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଏହି ମାମଲାରେ କହିଛନ୍ତି ଯେ ମୁସଲମାନ ମହିଳାମାନଙ୍କୁ ମସଜିଦ୍‌ ମଧ୍ୟକୁ ପ୍ରବେଶାଧିକାର ପ୍ରଦାନ କରା ନଯିବା ଓ ସେମାନଙ୍କୁ ନମାଜ ପାଠ ଓ ପ୍ରାର୍ଥନା କରିବାକୁ ଅନୁମତି ନ ମିଳିବା ଘଟଣା ସଂପୂର୍ଣ୍ଣ ଅଣ ସାମ୍ବିଧାନିକ ଓ ଏହା ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୨୧, ୨୫ ଓ ୨୯ର ବିରୋଧାଚରଣ କରୁଛି। ତେଣୁ, ଏପ୍ରକାର ଅଣ ସାମ୍ବିଧାନିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେବା ସହ ମୁସଲମାନ ମହିଳାମାନଙ୍କୁ ମସଜିଦ୍‌ ମଧ୍ୟକୁ ପ୍ରବେଶାଧିକାର ପ୍ରଦାନ ସହ ନମାଜ ପାଠ ଓ ପ୍ରାର୍ଥନା କରିବାକୁ ଅନୁମତି ପ୍ରଦାନ କରିବାକୁ ପୁଣେର ଏହି ମୁସଲମାନ ଦମ୍ପତି ଆଗତ କରିଥିବା ଯାଚିକାରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର