୨୦୭୦ ସୁଦ୍ଧା ଭାରତର ନେଟ୍ ଜିରୋ ଲକ୍ଷ୍ୟ: ମୋଦୀ

ପରିବେଶ ମନ୍ତ୍ରୀମାନଙ୍କ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଗୁଜରାଟର ଏକତା ନଗର ଠାରେ ପରିବେଶ ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ୨୦୭୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ରଖିଛି । ଏବେ ଦେଶର ଧ୍ୟାନ ସବୁଜ ଅଭିବୃଦ୍ଧି ଉପରେ ରହିଛି। ଏହି ସମସ୍ତ ଲକ୍ଷ୍ୟଗୁଡିକୁ ପାଇବା ନିମନ୍ତେ, ସମସ୍ତ ରାଜ୍ୟର ପରିବେଶ ମନ୍ତ୍ର‌ାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ମିଳନୀ ସେହି ସମୟରେ ହେଉଛି, ଯେତେବେଳେ ଭାରତ ଆଗାମୀ ୨୫ ବର୍ଷ ନିମନ୍ତେ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି। ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରିବା ସହିତ ଅନ୍ୟ ଦେଶଗୁଡିକୁ ମଧ୍ୟ ମାର୍ଗଦର୍ଶନ କରୁଛି।

ଆଜିର ନୂତନ ଭାରତ, ନୂତନ ଚିନ୍ତାଧାରା, ନୂତନ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାରେ ଲାଗିଛି । ଭାରତ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତି। ଆମର ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ହୋଇଛି ଏବଂ ଆର୍ଦ୍ରଭୂମିର ସୀମା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ ବର୍ଷ ଗୁଡିକରେ ଗୀର୍‌ର ସିଂହ, ବାଘ, ହାତୀ, ଏକ ଶିଙ୍ଗିଆ ଗଣ୍ଡା ଏବଂ ଚିତା ବାଘ ମାନଙ୍କର ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ଚିତାମାନଙ୍କର ଘରକୁ ଫେରିବା ନେଇ ଏକ ନୂତନ ଉତ୍ସାହ ଫେରିଆସିଛି। ରାଜ୍ୟଗୁଡିକୁ ଯାନବାହନ ସ୍କ୍ରାପିଂ ନୀତି ଓ ଜୈବ ଇନ୍ଧନ ଉପାୟଗୁଡ଼ିକ ଭଳି ଇଥାନଲ୍ ମିଶ୍ରଣ ଇତ୍ୟାଦି ଉପାୟକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ନିମନ୍ତେ ସେ କହିଥିଲେ । ପୂର୍ବରୁ ଯେଉଁ ରାଜ୍ୟ ଗୁଡିକରେ ଜଳର ବହୁଳତା ଥିଲା , ସେଠାରେ ଆଜି ଜଳର ଅଭାବ ପରିଲକ୍ଷିତ ହେଉଛି । ପରିବେଶ ମନ୍ତ୍ରାଳୟଗୁଡ଼ିକ ଦ୍ୱାରା ଏକ ସହଭାଗୀ ଏବଂ ସମନ୍ୱିତ ଦୃଷ୍ଟିକୋଣ ସହିତ କାମ କରିବା ମହତ୍ୱପୂର୍ଣ୍ଣ। ଯେତେବେଳେ ପରିବେଶ ମନ୍ତ୍ରାଳୟଗୁଡ଼ିକର ଚିନ୍ତାଧାରାରେ ପରିବର୍ତ୍ତନ ହେବ, ପ୍ରକୃତିକୁ ମଧ୍ୟ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ୍ ଏବଂ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର