ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ପ୍ରଦୂଷଣ ପୁଣି ଥରେ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଯାଇଛି। ଧୀରେ ଧୀରେ ବାୟୁ ବିଷାକ୍ତ ହେବାରେ ଲାଗିଛି ଏବଂ ଆଗକୁ ଦିଲ୍ଲୀବାସୀ ସାଂଘାତିକ ପ୍ରଦୂଷଣକୁ ସାମ୍ନା କରିବାକୁ ଯାଉଛନ୍ତି। ପ୍ରଦୂଷଣ ଆଇନ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ଆଜି ସୁପ୍ରିମକୋର୍ଟ ପୁଣି ଥରେ କେନ୍ଦ୍ର ସରକାର, ପଞ୍ଜାବ ଓ ହରିୟାଣା ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି ଏହି ଆଇନ ଏବେ କୌଣସି କାମରେ ଆସୁନାହିଁ। ଆଇନ କାର୍ଯ୍ୟକାରୀ କରିବା ପାଇଁ କୌଣସି ସ୍ତରରେ ନିଷ୍ଠା ନାହିଁ। ଅଦାଲତ କହିଛନ୍ତି ଯେ ନଡ଼ାପାଳ ପୋଡ଼ିବା ପାଇଁ ଜରିମାନା ସଂକ୍ରାନ୍ତ ସିଏକ୍ୟୁଏମ ଆଇନ କାର୍ଯ୍ୟକାରୀ ହୋଇନାହିଁ। ପରିବେଶ ଆଇନ କେବଳ କାଗଜପତ୍ରରେ ରହିଯାଇଥିବାରୁ କୋର୍ଟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।
ପ୍ରଦୂଷଣମୁକ୍ତ ବାତାବରଣ ନାଗରିକଙ୍କ ମୌଳିକ ଅଧିକାର
ସରକାର ଲୋକଙ୍କ ଅଧିକାରକୁ ଅଣଦେଖା କରିପାରିବେ ନାହିଁ
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ ପରିବେଶରେ ରହିବା ସମସ୍ତ ଲୋକଙ୍କ ମୌଳିକ ଅଧିକାର ଏବଂ ନାଗରିକଙ୍କ ଅଧିକାରକୁ ବଜାୟ ରଖିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଜଷ୍ଟିସ ଅଭୟ ଏସ୍ ଓକା, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବାୟୁ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତିରେ ସରକାର ବିଫଳ ହୋଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅଧିନିୟମ ୨୦୨୧ (ସିଏକ୍ୟୁଏମ୍ ଆକ୍ଟ) ପ୍ରଣୟନ କରାଯାଇଛି। ତେବେ ଭାରତ ସରକାର ଏହା କାର୍ଯ୍ୟକାରୀ କରିବା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। ପରିବେଶ ସୁରକ୍ଷା ଆଇନ କ୍ଷମତାହୀନ ହୋଇପଡ଼ିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ ସିଏକ୍ୟୁଏମ୍ ଆଇନର ଧାରା ୧୫, ଯେଉଁଥିରେ ଫସଲ ପୋଡ଼ିବା ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି ତାହାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ। ୧୦ ଦିନ ମଧ୍ୟରେ ଆବଶ୍ୟକ ନିୟମାବଳି ଜାରି କରାଯିବ ବୋଲି ସେ କହିଛନ୍ତି। ପଞ୍ଜାବ ଓ ହରିୟାଣା ସରକାର ନଡ଼ାପାଳ ଜାଳୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସର୍ବୋଚ୍ଚ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି ଯେ ପ୍ରାୟ ୧୦୮୦ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି, କିନ୍ତୁ ଆପଣ ନାମମାତ୍ର ଜରିମାନା ମାତ୍ର ୪୭୩ ଜଣଙ୍କଠାରୁ ଆଦାୟ କରିଛନ୍ତି। ଏଭଳି ଉଲ୍ଲଂଘନ ବରଦାସ୍ତ କରାଯିବ ନାହିଁ ବୋଲି ଖଣ୍ଡପୀଠ ଚେତାଇ ଦେଇଛନ୍ତି।