ଜମ୍ମୁ କାଶ୍ମୀରରେ ୧୫ ରାଷ୍ଟ୍ରର କୂଟନୀତିଜ୍ଞ, ପାକିସ୍ତାନର ମୁଖା ଖୋଲିଲେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର : ଆମେରିକା ସମେତ ୧୫ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବେ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ ବିଦେଶୀ ରାଷ୍ଟ୍ରଦୂତଙ୍କର ଏହା ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଭାରତକୁ ଆମେରିକାର ରାଷ୍ଟ୍ରଦୂତ କେନ୍ନେଥ ଜଷ୍ଟରଙ୍କ ସମେତ ସମୁଦାୟ ୧୫ଟି ରାଷ୍ଟ୍ରର କୂଟନୀତିଜ୍ଞ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି। ତେବେ ଆମେରିକା ସମେତ ଦକ୍ଷିଣ କୋରିଆ, ମରୋକ୍କୋ, ନାଇଜର, ନାଇଜେରିଆ, ଗୁଏନା, ଆର୍ଜେଣ୍ଟିନା, ନରୱେ, ଫିଲିପାଇନ୍ସ, ମାଳଦ୍ବୀପ, ଟୋଗ, ଫିଜି, ପେରୁ, ବାଂଲାଦେଶ ଏବଂ ଭିଏତନାମର ରାଷ୍ଟ୍ରଦୂତଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି। ପ୍ରତିନିଧି ଦଳରେ ୟୁରୋପୀୟ ସଂଘ ମଧ୍ୟ ସାମିଲ ହେବା ଯୋଜନା ଥିଲା । କିନ୍ତୁ ୟୁରୋପୀୟ ସଂଘ ପ୍ରତିନିଧି ଅନ୍ୟ ଏକ ତାରିଖରେ ଜମ୍ମୁ କାଶ୍ମୀର ଆସିବାକୁ ଚାହିଛନ୍ତି। ଗସ୍ତର ପ୍ରଥମ ଦିନରେ ଉକ୍ତ ୧୫ ରାଷ୍ଟ୍ରର କୂଟନୀତିଜ୍ଞ ପ୍ରଥମେ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରି ଜମ୍ମୁ ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି।‌ ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଜମ୍ମୁ କାଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଥିବା ସେମାନେ ଅବଗତ ହୋଇଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ରାଷ୍ଟ୍ରଦୂତମାନଙ୍କ ସହ ଆସି ସ୍ବେଚ୍ଛାକୃତ ଭାବେ କଥା ହୋଇଛନ୍ତି। ସେମାନେ ଧାରା ୩୭୦କୁ ବିରୋଧ କରୁନଥିବା କହିଛନ୍ତି। ସ୍ଥାନୀୟ ଲୋକେ ଜମ୍ମୁ କାଶ୍ମୀରରେ ପାକିସ୍ତାନର ହସ୍ତ‌କ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପାକିସ୍ତାନର ବିନା ହସ୍ତକ୍ଷେପରେ ଏକ ଉତ୍ତମ ଭବିଷ୍ୟତ ଚାହିଛନ୍ତି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହସ୍ତକ୍ଷେପ ନ କରିବାପାଇଁ ବିଶ୍ବର ସବୁ ରାଷ୍ଟ୍ର ପାକିସ୍ତାନ ଉପରେ ପ୍ରବଳ ଚାପ ସୃଷ୍ଟି କରିବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା, ନାଗରିକ ସଂଗଠନ ଏବଂ ବ୍ୟବସାୟୀ ପ୍ରତିନିଧି ୧୫ ରାଷ୍ଟ୍ରର କୂଟନୀତିଜ୍ଞଙ୍କୁ ଜଣାଇଛନ୍ତି।

ଆଜି ୧୫ ରାଷ୍ଟ୍ରର କୂଟନୀତିଜ୍ଞ ଜମ୍ମୁ କାଶ୍ମୀର ଗସ୍ତ କରିଥିବା ବେଳେ ଏଥିରୁ ଇୟୁ ପ୍ରତିନିଧି ଦଳ ବାଦ୍‌ ପଡ଼ିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଏହି ଗସ୍ତର ପ୍ରଥମ ଲକ୍ଷ୍ୟ ହେଉଛି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ କିଭଳି ସ୍ଥିତି ସ୍ବାଭାବିକ କରାଯାଇଛି ସେ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଦୂତ ଅବଗତ ହେବାପାଇଁ ଏହି ଗସ୍ତ ପରିଚାଳନା କରାଯାଇଛି। ଭବିଷ୍ୟତରେ ମଧ୍ୟ ଇୟୁ ପ୍ରତିନିଧି ଦଳଙ୍କ ସହ ଅନ୍ୟ ବିଦେଶୀ ରାଷ୍ଟ୍ରର ପ୍ରତିନିଧି ଦଳ କାଶ୍ମୀର ଆସିବେ ବୋଲି କୁମାର କହିଛନ୍ତି। ବିଦେଶୀ ପ୍ରତିନିଧିଙ୍କ ଗସ୍ତକୁ ପ୍ରାୟୋଜିତ ବୋଲି କହି ଯେଉଁ ସମାଲୋଚନା କରାଯାଉଛି ତାହାର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର