ପ୍ରକୃତ ପରିସ୍ଥିତି ଅନୁଧ୍ୟାନ ଲାଗି ଆଜି କଶ୍ମୀର ପରିଦର୍ଶନରେ ଆସୁଛନ୍ତି ୧୫ଟି ଦେଶର କୂଟନୀତିଜ୍ଞ

ଶ୍ରୀନଗର: ପରିସ୍ଥିତି ସ୍ୱାଭାବିକ କରିବାକୁ ସରକାର କି ଭଳି ଉଦ୍ୟମ କରୁଛନ୍ତି ତାହା ଅନୁଧ୍ୟାନ କରିବାକୁ ଆଜି ୧୫ ଜଣ ବିଦେଶୀ କୂଟନୀତିଜ୍ଞ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସୁଛନ୍ତି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଅବସ୍ଥାନ କରୁଥିବା ପ୍ରାୟ ୧୫ ଜଣ କୂଟନୀତିଜ୍ଞଙ୍କର ଏକ ଦଳକୁ ଜାନୁଆରି ୯ ଓ ୧୦ ତାରିଖ ଦିନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରକୁ ନିଆଯାଉଛି। ସେଠାରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସରକାର କିଭଳି ଉଦ୍ୟମ କରୁଛନ୍ତି, ତାହା ସେମାନେ ଅନୁଧ୍ୟାନ କରିବେ।

Image Source: India Today

ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ପରେ ସରକାର ସେଠାରେ କଠୋର କଟଣା ଲାଗୁ କରିଥିବା କଥା ଦେଶବିଦେଶରେ ପ୍ରସାର ହୋଇଥିଲା। ବିଶେଷ କରି ପାକିସ୍ତାନ ଏ ପ୍ରସଙ୍ଗରେ ଜାତିସଂଘ ଓ ବିଶ୍ୱର ଅନ୍ୟାନ୍ୟ ପ୍ରଭାବଶାଳୀ ଦେଶଗୁଡ଼ିକ ଆଗରେ ଫେରାଦ ହୋଇଥିଲା।

କଶ୍ମୀର ଗସ୍ତରେ ଯିବା ଲାଗି କୂଟନୀତିଜ୍ଞମାନେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରୁଥିଲେ। ଜମ୍ମୁ ଓ କଶ୍ମୀର ପ୍ରଶାସନ ସହ ସେଠାକାର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପରେ ସେମାନଙ୍କ ଅନୁରୋଧ ରକ୍ଷା କରାଯିବ ବୋଲି ଆମେ କହିଥିଲୁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଗୁରୁବାର ଦିନ ଲାଟିନ୍‌ ଆମେରିକା ଓ ‘ଆସିଆନ୍‌’ ଏବଂ ଆଫ୍ରିକା ଦେଶର ରାଷ୍ଟ୍ରଦୂତମାନେ କଶ୍ମୀର ଗସ୍ତରେ ଯିବା ବେଳେ ‘ଇଉରୋପିଆନ୍‌ ୟୁନିୟନ୍‌’ର ଦୂତମାନେ ଅନ୍ୟ କୌଣସି ଦିନ ଯିବେ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ‘ଇଉରୋପିଆନ୍‌ ୟୁନିୟନ୍‌’ର ଜଣେ ରାଷ୍ଟ୍ରଦୂତ କହିଛନ୍ତି: ସ୍ୱଳ୍ପ ସମୟ ଅବଧିରେ ଗସ୍ତ ସଂକ୍ରାନ୍ତରେ ଆମକୁ ସୂଚନା ଦିଆଗଲା। ଗସ୍ତ ଲାଗି ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆମ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଆମେ ଏବେ ମଧ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ କଥାବାର୍ତ୍ତା କରୁଛୁ।

ସମ୍ବନ୍ଧିତ ଖବର