ବେଆଇନ ଲୋନ୍ ଆପ୍ ଖୋଲି ୬.୫୭କୋଟି ହଡ଼ପ ଘଟଣା: ଆଉ ଜଣେ ଠକ ଗିରଫ

ଭୁବନେଶ୍ବର: ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓଡ଼ିଶା ପୁଣି ଜଣକୁ ଗିରଫ କରିଛି। ସେ ହେଉଛନ୍ତି ମୁମ୍ବାଇର ରାମ ଶ୍ରୀରାମ ପାଠାଦେ।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ମହାଗ୍ରାମ ପେମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରାମ ଶ୍ରୀରାମ ପାଠାଦେଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଥିଲା। ଭୁବନେଶ୍ୱରର ଏସଡିଜେଏମ୍ କୋର୍ଟରେ ହାଜର କରାଯାଉଥିବାର ସୂଚନା ମିଳିଛି। ଅଭିଯୁକ୍ତ ରାମ ଶ୍ରୀରାମ ପାଠାଦେ ମୁମ୍ବାଇର ସୋନମ୍ ହାଇଟ୍ସର ବାସିନ୍ଦା ବୋଲି ଜଣାଯାଇଛି।
ଅଭିଯୁକ୍ତ ମହାଗ୍ରାମ ପେମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ, ସରସେବା ସିଂପ୍ଲିଫାଏଡ୍ ଇନୋଭେସନ୍ସ ଲିମିଟେଡ, ମହାଗ୍ରାମ ଫାଉଣ୍ଡେସନ୍, ଫିନୋଭିଟି ଗ୍ଲୋବାଲ୍ ପେମେଣ୍ଟସ୍ ପ୍ରାଇଭେଟ ଲିମିଟେଡ୍ ଓ ଏକ୍ସପ୍ରେସ୍ ଡିଜିଟାଲ୍ ମନି ପ୍ରାଇଭେଟ ଲିମିଟେଡ ଆଦି କମ୍ପାନିଗୁଡ଼ିକର ନିର୍ଦ୍ଦେଶକ ବୋଲି ଜଣାଯାଇଛି। ଏହି କଂପାନିଗୁଡ଼ିକ ଡିଜିଟାଲ୍ ଋଣ ଆପ୍ ବ୍ୟବସାୟରେ ଲିପ୍ତ ଥିଲେ। ଅଭିଯକ୍ତ ରାମ ଶ୍ରୀରାମ ପାଠାଦେ ଅନ୍ୟ ସହଯୋଗୀଙ୍କ ସହ ମିଶି ଡିଜିଟାଲ୍ ଲୋନ୍ ଆପ୍ ଖୋଲିଥିଲେ। ପ୍ରାୟ ଦେଢ଼ ଲକ୍ଷ ଲୋକ ଏହି ଆପ୍ ଡାଉନଲୋଡ୍ କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓଡ଼ିଶା  ହରିୟାଣା ଗୁରୁଗ୍ରାମ୍‌ର ତରୁଣ ଦୁଦେଜାଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ଏକା ସମୟରେ ଡିଜିଟାଲ୍ ବଟ୍‌ଵା, ଆଇ ପୈସା ଅନଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାରପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନଲାଇନ୍ ନାମରେ ୬ଟି ବେଆଇନ୍ ଲୋନ୍ ଆପ୍ ଖୋଲିଥିଲା। ସେବି ବା ଆର୍‌ବିଆଇରେ ପଞ୍ଜୀକୃତ ନ କରି ଏହି ଆପ୍‌ ଦ୍ବାରା ପ୍ରଥମେ ଲୋକଙ୍କୁ ଋଣ ଦେଉଥିଲା। ପରେ ଲୋକଙ୍କୁ ଶୋଷଣ କରିବା ବା ଲୁଟ୍ କରିବା ଉଦ୍ଦେଶ୍ୟରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଥିଲା। ସେମାନେ ସପ୍ତାହେ ପରେ ଫୋନ୍ କରି ଲୋକଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ। ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କ ଠାରୁ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ ଭାଇରାଲ୍ କରିବାକୁ ଧମକ ଦେଉଥିଲେ। ଏହି କ୍ରମରେ ପ୍ରାୟ ୬.୫୭କୋଟି ଟଙ୍କା ହଡ଼ପ କରାଯାଇଥିଲା। ଅପରପକ୍ଷରେ ଇଓଡବ୍ଲୁ ତରୁଣ କମ୍ପାନିରେ ଚଢ଼ଉ କରି ୪୧ଟି ସିମ୍ କାର୍ଡ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର