ଠିକା କର୍ମଚାରୀଙ୍କୁ ଇପିଏଫ୍‌ରୁ ବଞ୍ଚିତ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଠିକା କର୍ମଚାରୀଙ୍କୁ ଏମ୍ପ୍ଲୟିଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଲାଭରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି। ସରକାରୀ କମ୍ପାନିର ଠିକା କର୍ମାଚାରୀ ଇପିଏଫ୍‌ର ହକଦାର ଅଟନ୍ତି ବୋଲି କୋର୍ଟ କହିଛନ୍ତି। ନିୟମିତ କର୍ମଚାରୀଙ୍କ ସହିତ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଇପିଏଫ୍ ଲାଭରୁ ବଞ୍ଚିତ କରାଯାଇ ପାରିବ ନାହିଁ। ପଵନ ହଂସ ଲିମିଟେଡ୍ ବନାମ ବିମାନ କର୍ମଚାରୀ ସଂଗଠନ ମାମଲାରେ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ ଲଳିତ ଓ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଦ୍ବାରା ଏହି ରାୟ ପ୍ରଦାନ କରାଯାଇଛି। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ପଵନ ହଂସ କମ୍ପାନି ପିଏଫ ଟ୍ରଷ୍ଟର ନିୟମ ତଥା ତାହାର ଲାଭ ଠିକା କର୍ମଚାରୀମାନଙ୍କୁ ଦେଇନାହିଁ। ଏହା ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି। ସରକାରୀ କିମ୍ବା ସାର୍ବଜନୀନ କ୍ଷେତ୍ରରେ କମ୍ପାନି ଏଭଳି କରିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟରେ କହିଛନ୍ତି, ଠିକା କର୍ମଚାରୀ ଦୀର୍ଘ ଦିନ ଧରି କମ୍ପାନିରେ କାମ କରୁ ଥିବାରୁ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭଳି ବିଚାର କରାଯିବ।

ଉଲ୍ଲେଖଯୋଗ୍ୟ, ୧୯୮୬ରେ ପଵନ ହଂସ କମ୍ପାନି ସ୍ଥାପନ କରାଯାଇଥିଲା। ୧୯୮୭ରେ ପିଏଫ୍ ଟ୍ରଷ୍ଟ ଗଠିତ ହୋଇଥିଲା। ଏଥିରେ ନିୟମିତ କର୍ମଚାରୀମାନଙ୍କର ଅଂଶଧନ ନିୟମିତ ରୂପେ ଜମା କରାଯାଉଥିବା ବେଳେ ଠିକା କର୍ମଚାରୀମାନଙ୍କୁ ଏଥିରେ ସାମିଲ କରିବା ପାଇଁ କୁହାଯାଇ ନଥିଲା। ସେହି ସମୟରେ ପଵନ ହଂସ କମ୍ପାନିରେ ୫୭୦ ଜଣ ନିୟମିତ କର୍ମଚାରୀ ଥିଲେ ଓ ୨୭୦ ଜଣ ଠିକା କର୍ମାଚରୀ ଥିଲେ। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଜାନୁଆରି ୨୦୨୦ ରୁ ସମସ୍ତ ଠିକା କର୍ମଚାରୀଙ୍କର କମ୍ପାନିର ଅଂଶାଦନ ନିୟମ ଅନୁସାରେ ଜମା କରାଯିବ।

ସମ୍ବନ୍ଧିତ ଖବର