କର୍ମଚାରୀ ଛଟେଇ ଓ ଦରମା କାଟ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇପିଏଫଓ, ଇଏସଆଇସିକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ଭାଇରସ ଓ ଲକଡାଉନ ଯୋଗୁଁ ଦେଶର ଅର୍ଥନୀତି ଗୁରୁତରଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଚଳିତ ବର୍ଷ ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅଭିବୃଦ୍ଧି ଧୀମା ହେଲେ ଦେଶରେ ହଜାର ହଜାର ଲୋକ ନିଯୁକ୍ତି ହରାଇବା ଆଶଙ୍କା ଦେଖାଦେଇଛି । ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଭାରତ ସରକାର ।

ଦେଶରେ କେତେ ଲୋକ ନିଯୁକ୍ତି ହରାଉଛନ୍ତି, କେତେ ଲୋକଙ୍କ ଦରମା କାଟ ହେଉଛି ଓ କେତେ ଲୋକଙ୍କ ଦରମା ବିଳମ୍ବିତ ହେଉଛି ସେ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଓ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି)କୁ ନିର୍ଦ୍ଦେଶ ଦିଆଯାଇଛି । ଇପିଓଫଓର ୬୦ ନିୟୁତ ଖାତାଧାରୀ ଥିବାବେଳେ ଇଏସଆଇସିର ୩୦ ନିୟୁତ ଖାତାଧାରି ଅଛନ୍ତି ।
ଏସବୁ ରିପୋର୍ଟ ମିଳିବା ପରେ ଶ୍ରମମନ୍ତ୍ରାଳୟ ତାହାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନିକଟକୁ ପଠାଇବ । ଗତ ୧୪ ତାରିଖରେ ଲକଡାଉନ ଅବଧି ବୃଦ୍ଧି କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମଚାରୀମାନଙ୍କୁ ଚାକିରିରୁ ବାହାର ନକରିବାକୁ ଓ ଦରମା ନକାଟିବାକୁ କମ୍ପାନିମାନଙ୍କୁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର