ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ବର୍ଦ୍ଧିତ ପେନସନ ପାଇଁ ଆବେଦନ କରିବାର ଶେଷ ତାରିଖକୁ ଜୁଲାଇ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏଥିପାଇଁ ଶେଷ ତାରିଖ ଥିଲା ଜୁନ ୨୬ ।
ତେବେ ଅଧିକ ପେନସନ ଯୋଜନା ସମସ୍ତଙ୍କ ପାଇଁ ନୁହେଁ । ନଭେମ୍ବର ୪ ରେ ସୁପ୍ରିମକୋର୍ଟ ଜାରି କରିଥିବା ରାୟ ଅନୁଯାୟୀ ଇପିଏଫର କିଛି ସଦସ୍ୟ ଆବେଦନ କରିପାରିବେ । ଇପିଏଫ୍ଓ ଗତ ସପ୍ତାହରେ ଏକ ସର୍କୁଲାର ଜାରି କରି କହିଥିଲା ଯେ ଇପିଏସ୍ ଅଧୀନରେ ପ୍ରକୃତ ଦରମା ଆଧାରରେ ଅଧିକ ପେନସନ୍ ଚାହୁଁଥିବା କର୍ମଚାରୀଙ୍କ ପାଇଁ ଅଧିକ ପେନସନ୍ ହିସାବ କରାଯିବ। ସର୍କୁଲାର ଅନୁଯାୟୀ, ୨୦୧୪ ସେପ୍ଟେମ୍ବର ୧ ପୂର୍ବରୁ ଅବସର ନେଉଥିବା ଏବଂ ଏହି ତାରିଖ ପରେ ଅବସର ନେଉଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ପେନସନ୍ ହିସାବ ର ଫର୍ମୁଲା ଅଲଗା ରହିବ ।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଇପିଏଫଓ ସଦସ୍ୟଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲ ଲିଙ୍କ ଜାରି କରିଛି, ଯାହା ସାହାଯ୍ୟରେ ଅନଲାଇନ ଆବେଦନ କରାଯାଇପାରିବ । ଇପିଏଫଓ କର୍ମଚାରୀ ପେନସନ ପାଣ୍ଠି (ଇପିଏସ୍) ସଦସ୍ୟମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନସନ୍ ଯୋଗ୍ୟ ମଜୁରି ସୀମା ଅତିକ୍ରମ କରିବାକୁ ଅନୁମତି ଦେଇଛି। ଏଥିପାଇଁ କର୍ମଚାରୀ ଓ ନିଯୁକ୍ତିଦାତା ଇପିଏଫଓ ୱେବସାଇଟରେ ମିଳିତ ଆବେଦନ କରି ଇପିଏଫଓଠାରୁ ମାସିକ ମୂଳ ଦରମାର ୮.୩୩ ପ୍ରତିଶତରୁ ଅଧିକ କାଟିବାକୁ ଅନୁରୋଧ କରିପାରିବେ ।