ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନଙ୍କୁ ଅନ୍ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ସଂସ୍ଥା ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍ଡେଟ କରିଛି । ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍ଡାଉନ ସମୟରେ ମଧ୍ୟ ଇପିଏଫ୍ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ ୯.୭୩ ଲକ୍ଷ ଲୋକଙ୍କ ନାମ ସଂଶୋଧିତ ହୋଇଛି ଓ ୪.୧୮ ଲକ୍ଷ ସଦସ୍ୟଙ୍କ ଜନ୍ମ ତାରିଖରେ ସଂଶୋଧନ ମଧ୍ୟ କରାଯାଇଛି । ସେହିଭଳି ଏହି ପ୍ରକ୍ରିୟାରେ ଏପ୍ରିଲ-ଜୁନ ମଧ୍ୟରେ ୭.୧୬ ଲକ୍ଷ ସଦସ୍ୟଙ୍କ ଆଧାର ନମ୍ବରରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି ।
କରୋନା ମହାମାରୀ ସମୟରେ ଅଫିସରେ ସାମାଜିକ ଦୂରତ୍ୱ ନିଶ୍ଚିତ କରିବା ପାଇଁ ଇପିଏଫ୍ଓ ପକ୍ଷରୁ ଘରୁ କାର୍ଯ୍ୟ କରିବାର ବ୍ୟବସ୍ଥା କରାଯାଇଛି । ଏଥିରେ କର୍ମଚାରୀମାନେ ନିଜ ନିଜ ଘରେ ବସି ନିର୍ଦ୍ଧାରିତ ସମୟ ମଧ୍ୟରେ କେୱାଇସି ଆକାଉଣ୍ଟକୁ ଅପ୍ଡେସନ କରିବାରେ ସଫଳ ହୋଇଛନ୍ତି । ଏହାଫଳରେ ଦିନକୁ ଦିନ କାମର ବୋଝ ହ୍ରାସ ପାଉଛି ।
କେୱାଇସି ଅପ୍ଡେସନ ଫଳରେ ଜଣେ ସଦସ୍ୟ (ମେମ୍ବର ପୋର୍ଟାଲ) ମାଧ୍ୟମରେ ଅନ୍ଲାଇନ ସେବାର ସୁଯୋଗ ପାଇପାରିବ । ଚୂଡାନ୍ତ ଅର୍ଥ ଉଠାଣ, ନିଜ ଖାତାରୁ ଅଗ୍ରୀମ ନେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଖାତାରୁ ଅଗ୍ରୀମ ଉଠାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ । ଏହି ଅନ୍ଲାଇନ ବ୍ୟବସ୍ଥା ଜଞ୍ଜାଳମୁକ୍ତ, ସହଜ ଓ ସରଳ । ଚାକିରି ବଦଳାଇଲେ ମଧ୍ୟ ଜଣେ ସଦସ୍ୟ ନିଜର ଆକାଉଣ୍ଟକୁ ଅନ୍ଲାଇନ ବ୍ୟବସ୍ଥାରେ ବଦଳାଇବେ । ଡେସ୍କଟପ୍ କିମ୍ବା ଉମଙ୍ଗ ମାଧ୍ୟମରେ ଇପିଏଫର ସମସ୍ତ ସେବା ସଦସ୍ୟମାନଙ୍କୁ ଉପଲବ୍ଧ ହେବ ।