ନୂଆଦିଲ୍ଲୀ : ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫ୍‌ଓରେ ୧୮.୩୬ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି। ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ ଭାଗ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୨ଠାରୁ ନୂତନ ସଭ୍ୟ ଯୋଗ ଦେବା ଧାରାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାୟ ୭.୮୨ ଲକ୍ଷ ସଦସ୍ୟ ଚାକିରି ପରିବର୍ତ୍ତନ ସତ୍ତ୍ୱେ ଇପିଏଫ୍‌ଓରେ ପୁନଃ ଯୋଗଦେଇ ତାଙ୍କ ପୂର୍ବ ଭବିଷ୍ୟନିଧି ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିଛନ୍ତି। ମାତ୍ର ସେମାନେ ଭବିଷ୍ୟନିଧି ପାଣ୍ଠିରୁ ଚୂଡାନ୍ତ ଅର୍ଥ କାଢି ନାହାନ୍ତି। ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷର ଏଇମାସ ତୁଳନାରେ ଅଧିକ।

Advertisment

ବୟସ ଅନୁସାରେ ନିୟମିତ ଦରମା ପାଉଥିବା କର୍ମଚାରୀଙ୍କ ତଥ୍ୟକୁ ତୁଳନା କଲେ ୨୨-୨୫ବର୍ଷ ମଧ୍ୟରେ ସର୍ବାଧିକ କର୍ମଚାରୀ ପ୍ରାୟ ୪. ୭୨ଲକ୍ଷ କେବଳ ଜୁନ୍ ମାସରେ ପଞ୍ଜୀକୃତ ହୋଇଛନ୍ତି। ଅଧିକାଂଶ ପ୍ରଥମ ଥର ପାଇଁ ଚାକିରି କରୁଥିବା ବ୍ୟକ୍ତି ସଂଗଠିତ କ୍ଷେତ୍ର କର୍ମଚାରୀ ଭାବେ ଅଧିକ ସଂଖ୍ୟାରେ ଯୋଗ ଦେଉଥିବା ଜଣାପଡିଛି। ରାଜ୍ୟୱାରୀ ପେ ରୋଲ ସଂଖ୍ୟା ତୁଳନା କଲେ ଜଣାପଡେ ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ ଓ ଦିଲ୍ଲୀରେ ସାମିଲ ସଂସ୍ଥାଗୁଡିକ ସର୍ବାଧିକ ପ୍ରାୟ ୧୨. ୬୧ ଲକ୍ଷ ସଭ୍ୟକୁ ସାମିଲ କରିଛନ୍ତି ଯାହାକି ଦେଶର ସବୁ ବୟସଙ୍କ ମୋଟ ପେରୋଲର ଶତକଡା ୬୮.୬୬ ଭାଗ।

ଲିଙ୍ଗଗତ ବିଶ୍ଳେଷଣରୁ ଜଣାଯାଏ ଯେ ମହିଳା ସଦସ୍ୟଙ୍କ ସଂଖ୍ୟା ଗତ ମାସରେ ୩.୪୩ ଲକ୍ଷ ଥିବାବେଳେ ଚଳିତମାସରେ ଏହା ୪.୦୬ଲକ୍ଷକୁ ବୃଦ୍ଧି ପାଇଛି। ଏହା ଶତକଡା ୧୮.୩୭ଭାଗ ଅଧିକ ବୃଦ୍ଧି ପାଇଛି। ଗତ ୧୨ ମାସରେ ମହିଳା କର୍ମଚାରୀ ସଂଖ୍ୟା ସଂଗଠିତ କ୍ଷେତ୍ରରେ ସର୍ବାଧିକ ବୋଲି ଜଣାପଡିଛି। ସେହି ଅନୁସାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମେ ୨୦୨୨ରେ ଶତକଡା ୨୦.୩୭ଭାଗ ଥିବାବେଳେ ଜୁନ ୨୦୨୨ତାହା ଶତକଡା ୨୨.୦୯ ଭାଗକୁ ବୃଦ୍ଧି ପାଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ବ୍ୟବସ୍ଥା ଆଇନ ୧୯୫୨ ଅଧୀନ ସଂଗଠିତ କ୍ଷେତ୍ରର ପ୍ରତିଷ୍ଠାନ ମାନଙ୍କର କର୍ମଚାରୀ ମାନେ ଇପିଏଫଓ ପେ ରୋଲର ଅଂଶବିଶେଷ। ଏହା ଏକ ସାମାଜିକ ସୁରକ୍ଷା ସଂଗଠନ ହୋଇଥିବାରୁ କର୍ମଚାରୀଙ୍କୁ ଭବିଷ୍ୟନିଧି ପାଣ୍ଠି, ଅବସରକାଳୀନ ସୁବିଧା ଏହାର ସଦସ୍ୟମାନଙ୍କୁ ଅବସର ପରେ ପ୍ରଦାନ କରିଥାଏ। ଏହାଛଡା କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ପରିବାର ପେନସନ ଓ ବୀମା ସୁବିଧା ମଧ୍ୟ ପ୍ରଦାନ କରିଥାଏ।