ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଖାତାରେ ପଡ଼ିରହିଥିବା ଦାହିହୀନ ପାଣ୍ଠିକୁ ଯୋଗ୍ୟତମ ସଦସ୍ୟ ଓ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରାଇବାକୁ ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଦ୍ବାରା ୩୧ ଲକ୍ଷରୁ ଅଧିକ ଖାତାଧାରୀ ଉପକୃତ ହେବେ ବୋଲି ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାପ୍ତହିକ ସମୀକ୍ଷା ବୈଠକରେ ନିଷ୍କ୍ରିୟ ଖାତାର ଟଙ୍କା ଫେରାଇବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ୭ ଲକ୍ଷ ଖାତାକୁ ନେଇ ଟଙ୍କା‌ ଫେରସ୍ତର ଏକ ପରୀକ୍ଷାମୂଳକ ପର୍ଯ୍ୟାୟ ଆରମ୍ଭ କରାଯିବ। ଏହି ପର୍ଯ୍ୟାୟ ପାଇଁ ଚୟନ କରାଯାଇଥିବା ଖାତାଗୁଡ଼ିକରେ ପୂର୍ବରୁ ଆଧାର ଆଧାର ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାର ବିବରଣୀ ଇପିଏଫ୍‌ଓ ପାଖରେ ରହିଛି। ସେହି ବ୍ୟାଙ୍କ ଖାତାରେ ଇପିଏଫ୍‌ଓ ସିଧାସଳଖ ବାକି ଥିବା ଟଙ୍କା ଫେରାଇପାରିବ। ଇପିଏଫ୍‌ଓରେ ବର୍ତ୍ତମାନ ୩୧.୮୬ ଲକ୍ଷ ନିଷ୍କ୍ରିୟ ବା ଅଚଳ ଖାତା ରହିଛି। 

Advertisment

ସେହି ଖାତାଗୁଡ଼ିକରେ ୧୦,୯୦୩ କୋଟି ଟଙ୍କା ପଡ଼ିରହିଛି ଯାହା ପାଇବାକୁ କେହି ଦାବି କରୁନାହାନ୍ତି। ସେଥିରୁ ୭ ଲକ୍ଷ ୧୧ ହଜାର ଏଭଳି ଖାତା ରହିଛି, ଯେଉଁଥିରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରହିଛି। ସେଭଳି ଖାତାରେ ମୋଟ୍‌ ଉପରେ ୩୦.୫୨ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ନିଷ୍କ୍ରିୟ ହୋଇପଡ଼ିଥିବା ଖାତାଗୁଡ଼ିକ ମଧ୍ୟରୁ ଅଧିକାଂଶ ୨୦ ବର୍ଷ ପର୍ଯ୍ୟନ୍ତ ପୁରୁଣା। ସେହି ଖାତାଗୁଡ଼ିକରେ ଗତ ତିନି ବର୍ଷ ମଧ୍ୟରେ କୌଣସି କାରବାର ହୋଇନାହିଁ। ସେଥିପାଇଁ ସେଗୁଡ଼ିକୁ ନିଷ୍କ୍ରିୟ ବର୍ଗରେ ସ୍ଥାନିତ କରାଯାଇଛି। ଇପିଏଫ୍‌ ଆଇନ ଅନୁଯାୟୀ ହିତାଧିକାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ସଞ୍ଚୟ ରାଶି ପାଇବାକୁ ହେଲେ ଦାବି ଦାଖଲ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ପାଇବାକୁ ଥିବା ରାଶି ତୁଳନାରେ କାଗଜପତ୍ର ଆବଶ୍ୟକତା ଏତେ ଅଧିକ ରହୁଛି ଯେ ଅନେକ ସଦସ୍ୟ ସେଥିପ୍ରତି ଆଗ୍ରହ ଦେଖାଉନାହାନ୍ତି।

ଅନ୍ୟ ଏକ ନିଷ୍ପତ୍ତକ୍ରମେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅଣସଂଗଠିତ ଶ୍ରମିକମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସହାୟତା କାର୍ଯ୍ୟକ୍ରମରେ ପୂର୍ବ କଲ୍ୟାଣଭିତ୍ତିକ ସହାୟତା ସହିତ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ସାମିଲ କରାଯିବ। ଛାତ୍ରଛାତ୍ରୀମାନେ ସୁବିଧାରେ ଯେଭଳି ବୃତ୍ତି ପାଇପାରିବେ ସେଥିପାଇଁ ଶ୍ରମ ମନ୍ତ୍ରଣାଳୟ ଯୋଜନା ନିର୍ଦ୍ଦେଶାବଳୀରେ ଆବଶ୍ୟକ ସଂଶୋଧନ କରୁଛି। ଫଳରେ ଛାତ୍ରଛାତ୍ରୀମାନେ ଯେକୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରୀ ସଂସ୍ଥାଠାରୁ ଯୋଗ୍ୟତା ଆଧାରିତ ବୃତ୍ତି ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୭୭.୯ କୋଟି ଟଙ୍କାର କଲ୍ୟାଣ ଭିତ୍ତିକ ଆର୍ଥିକ ସହାୟତା ୧.୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। ୨୦୨୪-୨୫ରେ ୯୨,୧୧୮ ହିତାଧିକାରୀଙ୍କୁ ୩୧.୬୫ କୋଟି ଟଙ୍କାର ସହାୟତା ଦିଆଯାଇଛି।