ମୋଟା ଅଙ୍କର ପେନ୍‌ସନ୍‌ ମାମଲାର ସମୀକ୍ଷା କରିବ ଇପିଏଫ୍‌ଓ

ଅଧିକ ଟଙ୍କା ନେଉଥିଲେ ଫେରାଇବେ, ପେନ୍‌ସନ୍ ୫୦୦୦ ଟଙ୍କା କିମ୍ବା ୬,୫୦୦ ଟଙ୍କାକୁ ହ୍ରାସ ପାଇବ

ନୂଆଦିଲ୍ଲୀ : ଅଧିକ ପେନ୍‌ସନ୍ ପାଇବ‌ା ଲାଗି ଆଇନରେ ଦିଆଯାଇଥିବା ସୁବିଧାକୁ ବ୍ୟବହାର ନକରି ଯେଉଁ ସଦସ୍ୟମାନେ ମୋଟା ଅଙ୍କର ପେନ୍‌ସନ୍ ପାଉଛନ୍ତି ସେଭଳି ମାମଲାଗୁଡ଼ିକର ସମୀକ୍ଷା କରିବାକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ନିଷ୍ପତ୍ତି ନେଇଛି। ୨୦୧୪ ସେପ୍ଟେମ୍ବର ୧ ପୂର୍ବରୁ ଅବସର ନେଇଥିବା ଯେଉଁ କର୍ମଚାରୀମାନେ ଅଧିକ ପେନ୍‌ସନ୍‌ ପାଉଛନ୍ତି ସେମାନଙ୍କ ପେନ୍‌ସନ୍‌ର ସମୀକ୍ଷା କରାଯିବ। କେବଳ ମାମଲାର ସମୀକ୍ଷା କରାଯିବ ନାହିଁ, ଯେଉଁ କ୍ଷେତ୍ରରେ ସଦସ୍ୟ ଅଧିକ ପେନ୍‌ସନ୍‌ ନେଉଛନ୍ତି ବୋଲି ପ୍ରମାଣିତ ହେବ ତାଙ୍କଠାରୁ ଅଧିକ ଦିଆଯାଇଥିବା ପେନ୍‌ସନ୍ ରାଶିକୁ ଫେରସ୍ତ ଆଣିବା ଲାଗି ମଧ୍ୟ ଉଦ୍ୟମ କରାଯିବ।

ଏସଂକ୍ରାନ୍ତରେ ଚଳିତ ମାସ ୨୫ରେ ଇପିଏଫ୍‌ଓ ଏକ ସର୍କୁଲାର ଜାରି କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଅଧିକ ପେନ୍‌ସନ୍ ପାଇବା ଲାଗି କୌଣସି ବିକଳ୍ପକୁ ଚୟନ ନକରି ଯେଉଁମାନେ ମୋଟା ଅଙ୍କର ପେନ୍‌ସନ୍ ନେଉଛନ୍ତି ସେମାନଙ୍କୁ ଧାର୍ଯ୍ୟ ସୀମାଠାରୁ ଦିଆଯାଉଥିବା ଅଧିକ ପେନ୍‌ସନ୍ ରାଶିକୁ ବନ୍ଦ କରାଯିବ। ଜାନୁଆରି ମାସଠାରୁ ସେମାନଙ୍କୁ ଆଉ ଅଧିକ ପେନ୍‌ସନ୍ ଦିଆଯିବନି। ଏଭଳି ମାମଲା‌ରେ ପେନ୍‌ସନ୍‌ ରାଶିକୁ ତୁରନ୍ତ ୫୦୦୦ ଟଙ୍କା କିମ୍ବା ୬୫୦୦ ଟଙ୍କା ସ୍ତରକୁ ହ୍ରାସ କରାଯିବ।

ତେବେ କୌଣସି ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌କୁ ହ୍ରାସ କରିବା ପୂର୍ବରୁ ସେମାନଙ୍କୁ ପ୍ରଥମେ ଏବିଷୟରେ ଅବଗତ କରାଯିବ। ନିଜ ମାମଲାକୁ ଉପସ୍ଥାପନ କରିବା ଲାଗି ସେମାନଙ୍କୁ ସୁଯୋଗ ଦିଆଯିବ।କେବଳ ୨୦୧୪ ସେପ୍ଟେମ୍ବର ପୂର୍ବରୁ ଅବସର ନେଇଥିବା ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ର ସମୀକ୍ଷା କରାଯିବ। ପେନ୍‌ସନ୍‌ ମାମଲାର ସମୀକ୍ଷା କରିବା ଲାଗି ସୁପ୍ରିମ୍‌କୋର୍ଟ ୨୦୨୨ ଏପ୍ରିଲ୍ ୧୧ ତାରିଖରେ ଦେଇଥିବା ରାୟକୁ ବ୍ୟବହାର କରୁଛି। ଏଭଳିକି ଯେଉଁମାନେ କୋର୍ଟରେ ଲଢ଼େଇ କରି ଅଧିକ ପେନ୍‌ସନ୍ ନେଉଛନ୍ତି ସେଭଳି ମାମଲାରେ କୋର୍ଟ ଦେଇଥିବା ରାୟକୁ ଆଣି ସୁପ୍ରିମକୋର୍ଟଙ୍କ ରାୟ ସହ ତୁଳନା କରାଯିବ। ଏଭଳି ମାମଲାକୁ ଅତି ଯତ୍ନର ସହ ଚିହ୍ନଟ କରାଯିବ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ୨୦୧୪ ‌ସେପ୍ଟେମ୍ବର ପରେ ଇପିଏଫ୍‌ଓର ସଦସ୍ୟ ହୋଇଥିବା ଲୋକମାନେ ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବା ନିମନ୍ତେ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିଛନ୍ତି। ୨୦୨୩ ମାର୍ଚ୍ଚ ୩ରେ ସମୟ ସୀମା ଶେଷ ହେବାକୁ ଯାଉଥିବା ବେଳେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଗାଇଡ୍‌ଲାଇନ୍ ଜାରି କରାଯାଉନାହିଁ।

ସମ୍ବନ୍ଧିତ ଖବର