୪ ଜଣରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମାନସିକ ସ୍ଥିତି ବିଗାଡ଼ିଛି ମହାମାରୀ: ହୁ ମୁଖ୍ୟ

ଆଫ୍ରିକାରେ ୮୫% ଟିକା ନେଇନାହାନ୍ତି

ଜେନେଭା : ବିଶ୍ବରେ ଦେଢ଼ କୋଟିରୁ ଅଧିକ କୋଭିଡ ସଂକ୍ରମଣ ଗତ ସପ୍ତାହରେ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ସପ୍ତାହରେ ଏତେ ଅଧିକ ସଂଖ୍ୟକ ସଂକ୍ରମଣ ହୋଇ ନଥିଲା। ଓମିକ୍ରନ ପାଇଁ କରୋନା ସଂକ୍ରମଣରେ ଏହି ବୃଦ୍ଧି ଘଟିଛି। ପ୍ରାୟ ସବୁ ଦେଶରେ ଡେଲଟାର ସ୍ଥାନ ‌ଏବେ ଓମିକ୍ରନ ନେଉଛି। କିନ୍ତୁ ଗତ ଅକ୍ଟୋବରରୁ ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ସ୍ଥିର ରହିଛି। ସପ୍ତାହକୁ ହାରାହାରି ପ୍ରାୟ ୪୮ ହଜାର ମୃତ୍ୟୁ ହେଉଛି। ହସ୍ପିଟାଲରେ ରୋଗୀଙ୍କ ଭିର୍ତ୍ତି ସଂଖ୍ୟା ଯଦିଓ ବୃଦ୍ଧି ପାଉଛି ତଥାପି ପୂର୍ବ ଲହର ତୁଳନାରେ ଏହା କମ୍ ରହିଛି। ସମ୍ଭବତଃ ଟିକା କିମ୍ବା ପୂର୍ବ ସଂକ୍ରମଣରୁ ମିଳୁଥିବା ସୁରକ୍ଷା ଯୋଗୁ ଏଭଳି ହେଉଛି। ଡେଲଟା ତୁଳନାରେ ଯଦିଓ ଏହା ରୋଗୀଙ୍କୁ କମ୍ ଗୁରୁତର କରୁଛି ତଥାପି ଏହା ବିପଦପୂର୍ଣ୍ଣ ରହିଛି। ଭୂତାଣୁ ସହିତ ବଞ୍ଚିବା ଶିଖିବା ଅର୍ଥ ନୁହେଁ ଯେ ଆମେ ଏତେ ସଂଖ୍ୟକ ମୃତ୍ୟୁକୁ ଗ୍ରହଣ କରିନେବା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ ଘେବ୍ରିୟସସ୍‌ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ବରେ ଯେତେବେଳେ ବହୁସଂଖ୍ୟକ ଲୋକ ଟିକା ନେଇନାହାନ୍ତି ସେତେବେଳେ ଏହି ଭୂତାଣୁକୁ ବ୍ୟାପିବାକୁ ଦିଆଯିବା ଉଚିତ ନୁହେଁ। ଆଫ୍ରିକାରେ ୮୫ ପ୍ରତିଶତରୁ ଅଧିକ ଲୋକ ଏବେ ବି ଗୋଟିଏ ଡୋଜ୍ ଟିକା ନେଇନାହାନ୍ତି। ଟିକାଦାନ କ୍ଷେତ୍ରରେ ଥିବା ଏହି ପାର୍ଥକ୍ୟକୁ ହ୍ରାସ କରା ନଗଲେ ମହାମାରୀର ଅତି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପୂର୍ଣ୍ଣଛେଦ ପକାଯାଇ ପାରିବ ନାହିଁ। ଗତବର୍ଷ ଟିକା ଯୋଗାଣରେ ଦେଖାଦେଇଥିବା ପ୍ରତିବନ୍ଧକ ଏବେ କିଛିଟା କମିଛି। କିନ୍ତୁ ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରତ୍ୟେକ ଦେଶର ୭୦ ପ୍ରତିଶତ ଲୋକଙ୍କୁ ଟିକାଦାନ ଲକ୍ଷ୍ୟ ହାସଲ ପାଇଁ ଅନେକ କିଛି କରିବାକୁ ହେବ। ୯୦ ଦେଶରେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇନାହିଁ। ଏଥିରୁ ୩୬ଟି ଦେଶରେ ୧୦ ପ୍ରତିଶତରୁ କମ୍ ଲୋକଙ୍କୁ ଟିକା ଦିଆଯାଇଛି। ସଂକ୍ରମଣ ଅଧିକ ବ୍ୟାପିଲେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବ। ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବ। ଅଧିକ ଲୋକ ଚାକିରି ହରାଇବେ। ଏଥିସହିତ ପୂର୍ବରୁ ଚାପଗ୍ରସ୍ତ ହୋଇ ଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଚାପ ଆହୁରି ବଢ଼ିବ। ଯେଉଁମାନେ ଅଧିକ ବିପଦରେ ଅଛନ୍ତି ସେମାନଙ୍କୁ ସୁରକ୍ଷା ଦିଆଗଲେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ କମିବ। ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ କମ୍ ଚାପ ରହିବ। ଓମିକ୍ରନ ଯୋଗୁ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ପୁଣି ଚାପ ସୃଷ୍ଟି ହୋଇଛି।

ଗତବର୍ଷ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ମହାମାରୀ ସମୟରେ ପ୍ରତି ୪ ଜଣରେ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଛି। ଅନେକ ଦେଶରେ ବହୁ ସ୍ବାସ୍ଥ୍ୟକର୍ମୀ ଚାକିରି ଛାଡ଼ିବା ପାଇଁ ଚିନ୍ତା କରିଥିଲେ କିମ୍ବା ଛାଡ଼ି ଦେଇଛନ୍ତି। ସେମାନେ ମୁଖ୍ୟତଃ ଡାକ୍ତରଖାନାଗୁଡ଼ିକର ଖରାପ କାର୍ଯ୍ୟ ପରିବେଶ, ପର୍ଯ୍ୟାପ୍ତ ସଂଖ୍ୟକ ସହକର୍ମୀ ନଥିବା ଏବଂ ଜୀବନ ଦୁର୍ବିସହ ହେବା କାରଣରୁ ଏଭଳି ଅବସ୍ଥାର ସମ୍ମୁଖୀନ ହୋଇଥିଲେ। ସ୍ବାସ୍ଥ୍ୟର୍କମୀମାନେ ଆମକୁ ବଞ୍ଚାଇବା ପାଇଁ ଗତ ୨ ବର୍ଷ ମଧ୍ୟରେ ସର୍ବାଧିକ ପ୍ରୟାସ କରିଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ଦାୟିତ୍ବ ନିଭାଇବା ଆବଶ୍ୟକ। ଏଥିପାଇଁ ଟିକା ନେବା, ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଆଦି ଅନ୍ୟତମ ବୋଲି ହୁ ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର