ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଓମିକ୍ରନ୍‌ ପ୍ରଜାତି ଖୁବ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଇତିହାସରେ ଅନ୍ୟ କୌଣସି ଭାଇରସ୍‌ ତୁଳନାରେ ଓମିକ୍ରନ୍‌ ଖୁବ୍‌ ଦ୍ରୁତ ସଂକ୍ରମଣ ଘଟାଉଥିବାରୁ ଏହାଦ୍ବାରା ବିଶ୍ବରେ ମହାମାରୀର ଅତି ଖରାପ୍‌ ସମୟ ଆସିପାରେ ବୋଲି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କହିଛନ୍ତି।

Advertisment

କରୋନା ସଂକ୍ରମଣ ‌ରୋକିବାପାଇଁ ଆଗୁଆ ପଦ‌କ୍ଷେପ ଗ୍ରହଣ ସହ ବୁଷ୍ଟର ଡୋଜ୍‌ ନେବାପାଇଁ ଗେଟ୍ସ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଜୀବନ ସ୍ବାଭାବିକ ହେବାଭଳି ଲାଗୁଥିବା‌ ବେଳେ ଓମିକ୍ରନ୍‌ ପାଇଁ ମହାମାରୀର ଅତି ଖରାପ ସମୟ ଆସିପାରେ ବୋଲି ଗେଟ୍ସ କହିଛନ୍ତି।

ନୂଆ ପ୍ରଜାତି ବିଶ୍ବର ପ୍ରତି ରାଷ୍ଟ୍ରରେ ଏହାର ଉପସ୍ଥିତି ଜାରି ରଖିବ। ଓମିକ୍ରନ୍‌କୁ ଭଲଭାବେ ଜାଣିବା ପୂର୍ବରୁ ଏହାକୁ ଅତି ଗୁରୁତ୍ବର ସହ ନେବା ଉଚିତ। ଓମିକ୍ରନ୍‌ ଅତ୍ୟନ୍ତ ସଂକ୍ରାମକ ହୋଇଥିବାରୁ ଟିକା ନେଇଥିବା ଲୋକମାନେ ବି ସଂକ୍ରମିତ ହେବେ। ଏହାଦ୍ବାରା ବ୍ରେକ୍‌ଥ୍ରୁ ମାମଲା ବଢ଼ିବ। ଗେଟ୍ସ କହିଛନ୍ତି, ଓମିକ୍ରନ୍‌ ଯଦି କୌଣସି ରାଷ୍ଟ୍ରରେ ଏକ ପ୍ରଭାବଶାଳୀ ପ୍ରଜାତି ହୁଏ ତେବେ ଏହା ଅତି କମ୍‌ରେ ୩ ମାସ ରହିବ। ଯଦି ସଠିକ୍‌ ପଦକ୍ଷେପ ଗ୍ରହଣ ହୁଏ ତେବେ ମହାମାରୀ ୨୦୨୨ରେ ଶେଷ ହୋଇଯିବ ବୋଲି ଗେଟ୍ସ କହିଛନ୍ତି।