ମହାମାରୀ ଆଉ ବେଶି ଦିନ ନୁହେଁ; ଆର୍‌ ଭାଲ୍ୟୁ ହ୍ରାସ ପାଉଛି, ଟିକା ସବୁଠୁ ବଡ଼ ଅସ୍ତ୍ର

ନୂଆଦିଲ୍ଲୀ : ପ୍ରତିଷେଧକ ଟିକା ହେଉଛି କୋଭିଡ୍‌କୁ ପ୍ରଭାବହୀନ କରିବା ଲାଗି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ବର୍ତମାନ ଏହି ଅସ୍ତ୍ରର ପ୍ରୟୋଗ କରାଯାଉଥିବାରୁ ମହାମାରୀ ଆଉ ବେଶି ଦିନ ରହିବନି। ଏହାର ଶେଷଦିନ ପାଖେଇ ଆସିଲାଣି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ୱାସିଂଟନର ବିଶିଷ୍ଟ ବୈଜ୍ଞାନିକ ଓ ଭୂତାଣୁତତ୍ତ୍ବବିତ୍ ଡ. କୁତବ ମେହମୁଦ ଏଭଳି ଭବିଷ୍ୟବାଣୀ କରି କହିଛନ୍ତି ଯେ ଏ ଭୂତାଣୁ ଅଜ୍ଞାତବାସକୁ ଯିବ ଏବଂ ଲୋକମାନଙ୍କର ବାସ୍ତବରେ ବିଜୟ ହେବ। ଭୂତାଣୁ ଉପରେ ରୂପ ପରିବର୍ତ୍ତନ କରିବା ଏବଂ ମଣିଷ ଶରୀରରେ ପରିବର୍ତ୍ତିତ ପ୍ରତିରୋଧକତା ସହ ଖାପ ଖୁଆଇବା ପାଇଁ ପ୍ରବଳ ଚାପ ପଡ଼ୁଛି। ଭୂତାଣୁଠାରୁ ରକ୍ଷା ପାଇବା ପାଇଁ ମଣିଷ ଅନେକ ପ୍ରକାର ପଦକ୍ଷେପ ନେଉଛି। ତେଣୁ ଭୂତାଣୁ ନିଜକୁ ବଞ୍ଚେଇବା ପାଇଁ ମ୍ୟୁଟେସନ କରି କରି ଥକିଗଲାଣି। ଆଗାମୀ ଦିନରେ ନୂଆ ମ୍ୟୁଟେସନ ଯେ ନ ହେବ ତାହା ବି କହିହେବ ନାହିଁ। କିନ୍ତୁ ଏହା ଆଉ ବେଶିଦିନ ତିଷ୍ଠି ପାରିବ ନାହିଁ। ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଡ. ମେହମୁଦ କହିଲେ ଯେ ଭାରତ ଗୋଟିଏ ବର୍ଷରେ ୬୦ ପ୍ରତିଶତ ଟିକାକରଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତ ବାୟୋଟେକ୍‌ର କୋଭାକ୍ସିନକୁ ଅଦ୍ବିତୀୟ ଟିକା ବୋଲି ସେ କହିଥିଲେ, ଯାହା ୨ ବର୍ଷର ଶିଶୁ ପାଇଁ ବି ନିରାପଦ ବୋଲି ପ୍ରମାଣ ମିଳିଛି। ଏ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଟିକା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର।

imperial.ac.uk

ଇତିମଧ୍ୟରେ ଆଇଆଇଟି ମାଡ୍ରାସ ପକ୍ଷରୁ ମଧ୍ୟ ଅନୁରୂପ ସୂଚନା ଦିଆଯାଇଛି। କୁହାଯାଇଛି ଯେ ଦେଶରେ ଏବେ ଆର ଭାଲ୍ୟୁ କମିବା ଆରମ୍ଭ କରିଛି। ଗତ ଡିସେମ୍ବର ୨୫ରୁ ୩୧ ତାରିଖ ଭିତରେ ଆର ଭାଲ୍ୟୁ ଥିଲା ୨.୯। ଜାନୁଆରୀ ୧ରୁ ୬ ତାରିଖ ଭିତରେ ଆର ଭାଲ୍ୟୁ ୪ ଥିବା ବେଳେ ଏବେ ଏହା ୨.୨କୁ ଖସି ଆସିଛି। ଏବେ ମୁମ୍ବାଇରେ ଆର ଭାଲ୍ୟୁ ୧.୩ ଥିବା ବେଳେ ଦିଲ୍ଲୀରେ ୨.୫, ଚେନ୍ନାଇରେ ୨.୪ ଏବଂ କୋଲକାତାରେ ୧.୬ ରହିଛି। ଏହି ଭାଲ୍ୟୁ ୧ ତଳକୁ ଖସିଲେ ମହାମାରୀ ଶେଷ ହୋଇଯିବ। ଆର ଭାଲ୍ୟୁ ହ୍ରାସ ଧାରା ଜାରି ରହିଲେ ମହାମାରୀର ଖୁବଶୀଘ୍ର ଅନ୍ତ ଘଟିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଜଣେ ରୋଗୀ ଅନ୍ୟ କେତେ ଲୋକଙ୍କୁ ସଂକ୍ରମିତ କରୁଛି ତାହାକୁ ଆର ଭାଲ୍ୟୁ କୁହାଯାଏ।

ସମ୍ବନ୍ଧିତ ଖବର