ଇପିଏସ୍‌ ପେନସନଭୋଗୀ ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ନିଜ ଜୀବନ ପ୍ରମାଣପତ୍ର

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଇପିଏସ୍‌ ପେନସନଭୋଗୀମାନଙ୍କୁ ଘର ପାଖରେ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଜନ ସେବା କେନ୍ଦ୍ର ଏବଂ ଇପିଏଫଓ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି। ଯାହାଫଳରେ ବରିଷ୍ଠ ପେନସନଭୋଗୀମାନେ ଏବେ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଦେଶରେ ବର୍ତମାନ ୩.୬୫ ଲକ୍ଷ ଜନସେବା କେନ୍ଦ୍ରର ଏକ ବିଶାଳ ନେଟୱର୍କ ରହିଛି।
ଯାହାଫଳରେ ଇପିଏଫଓର ୬୫ ଲକ୍ଷ ପେନସନଭୋଗୀ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ନିୟମିତ ଭାବେ ପେନସନ ଉଠାଣ ନିମନ୍ତେ ଇପିଏସ ପେନସନଭୋଗୀମାନଙ୍କୁ ବର୍ତ୍ତମାନ ବର୍ଷକୁ ଥରେ ଜୀବନ ପ୍ରମାଣ/ଲାଇଫ ସାର୍ଟିଫିକେଟ ଦାଖଲ କରିବାକୁ ହେଉଛି।
ଜନସେବା କେନ୍ଦ୍ରଗୁଡ଼ିକ ବ୍ୟତୀତ ଇପିଏସ ପେନସନଭୋଗୀମାନେ ମଧ୍ୟ ୧୩୫ଟି ଆଂଚଳିକ କାର୍ଯ୍ୟାଳୟ, ୧୧୭ଟି ଜିଲ୍ଲା କାର୍ଯ୍ୟାଳୟ ଏବଂ ସେମାନେ ପେନସନ ଉଠାଉଥିବା ବ୍ୟାଙ୍କରେ ମଧ୍ୟ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇପିଏଫଓ ପକ୍ଷରୁ ଏକ ବହୁମୁଖୀ ବିକଳ୍ପ ମଡେଲ ଗ୍ରହଣ କରାଯାଇଛି। ଯାହାଫଳରେ ଇପିଏସ ପେନସନଭୋଗୀଙ୍କ ନିକଟରେ ନିଜ ସୁବିଧା ଅନୁସାରେ ସେବା ପାଇବାର ବିକଳ୍ପ ଓ ଅଧିକାର ରହିବ।


ବର୍ଷର ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଇପିଏସ ପେନସନଭୋଗୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତନ କରାଯାଇଛି। ଦାଖଲ କରିବାର ୧ ବର୍ଷ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ରର ବୈଧତା ରହିବ। ପୂର୍ବରୁ ବର୍ଷର କେବଳ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲର ସୁବିଧା ପେନସନଭୋଗୀମାନଙ୍କୁ ମିଳୁଥିଲା। ଏହି କାରଣରୁ ପେନସନଭୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପେନସନ ବନ୍ଦ ହୋଇଯିବାର ବହୁସଂଖ୍ୟକ ମଧ୍ୟ ଅଭିଯୋଗ ଆସୁଥିଲା। ଆହୁରି ବିଳମ୍ବରେ ଜୀବନ ପ୍ରମାଣପତ୍ର ଦାଖଲ କରାଯିବାର ଫଳ ସ୍ୱରୂପ ନଭେମ୍ବର ମାସ ପର୍ଯ୍ୟନ୍ତ ମାତ୍ର କିଛି ମାସ ଲାଗି ଏହାର ବୈଧତା ରହୁଥିଲା। ଇପିଏସ ପେନସନଭୋଗୀମାନଙ୍କୁ ବାଧାମୁକ୍ତ ସାମାଜିକ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର