ୱାସିଂଟନ: ଆମେରିକାର ନ୍ୟାୟ ବିଭାଗ ଦ୍ବାରା ପ୍ରକାଶିତ ବିବାଦୀୟ ଏପଷ୍ଟିନ୍‌ ଫାଇଲ ବଡ଼ବଡ଼ ଶିଳ୍ପପତି, ରାଜନେତା, ରାଜପରିବାର ଓ ସେଲିବ୍ରିଟିଙ୍କ ଜୀବନରେ ଝଡ଼ ସୃଷ୍ଟି କଲାଣି। ଆମେରିକା, ୟୁରୋପ ଓ ଏସିଆର ଅନେକ ପ୍ରତିଷ୍ଠିତ ଲୋକଙ୍କ ନାଁ ଏଥିରେ ଆସିବାରେ ଲାଗିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁ ବିବାଦୀୟ ଏପ୍‌ଷ୍ଟିନ୍‌ ଫାଇଲରେ ଅନେକ ଥର ଉଲ୍ଲେଖ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ରବିବାର ଦଲାଇଲାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Advertisment

ଦଲାଇଲାମା ଏପ୍‌‌ଷ୍ଟିନ୍‌ଙ୍କୁ କେବେବି ଭେଟି ନ ଥିଲେ କି ତାଙ୍କର କୌଣସି ପ୍ରତିନିଧି ଏପ୍‌ଷ୍ଟିନ୍‌ଙ୍କୁ ଭେଟି ନ ଥିଲେ ବୋଲି କୁହାଯାଇଛି। ଚୀନ ଗଣମାଧ୍ୟମ ପକ୍ଷରୁ ଦଲାଇଲାମାଙ୍କ ନାଁ ଏପ୍‌ଷ୍ଟିନ୍‌ ଫାଇଲରେ ଥିବା ଦାବି କରାଯାଇଥିଲା। ଦଲାଇ ଲାମା କିମ୍ବା ଏପ୍‌ଷ୍ଟିନ୍‌ଙ୍କ ମଧ୍ୟରେ କୌଣସି ସାକ୍ଷାତ୍ କିମ୍ବା ଆଲୋଚନା ହୋଇ ନ ଥିବା ବିଦେଶୀ ଖବର ସରବରାହ ସଂସ୍ଥା ଏଏଫ୍‌ପି ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ୯୦ ବର୍ଷୀୟ ଦଲାଇଲାମା ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମାଶାଳାରେ ନିର୍ବାସନରେ ଅଛନ୍ତି।

ଅନ୍ୟପକ୍ଷରେ ୟୁରୋପ ଏପ୍‌ଷ୍ଟିନ୍‌ ଫାଇଲ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଚର୍ଚ୍ଚା ହେଉଛି। ଯୌନ ଅପରାଧର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ନିୟୁତ ନିୟୁତ ପୃଷ୍ଠାର କାଗଜପତ୍ରକୁ ନେଇ ୟୁରୋପରେ ଜଣେ ଯୁବରାଜ, ରାଷ୍ଟ୍ରଦୂତ, ବରିଷ୍ଠ କୂଟନୀତିଜ୍ଞ ତଥା ବଡ଼ବଡ଼ ରାଜନେତାଙ୍କ ସ୍ଥିତି ଏବେ ଟଳମଳ ହେଉଛି। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ନାଁ ଏପଷ୍ଟିନ୍‌ ଫାଇଲରେ ରହିଛି। ବ୍ରିଟେନରେ ରାଜକୁମାର ଆଣ୍ଡ୍ରୁ ରାଜପରିବାରରୁ ତଡ଼ା ଖାଇଥିବାବେଳେ ପୂର୍ବତନ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନଙ୍କୁ ହାଉସ ଅଫ୍ ଲର୍ଡସରୁ ଇସ୍ତଫା ଦେବାକୁ ପଡ଼ିଛି। ମାଣ୍ଡେଲସନଙ୍କ ବିରୋଧରେ ଏବେ ଆପରାଧିକ ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ: Nirmala Sitharaman: ବ୍ୟାଙ୍କ ସଂସ୍କାର ପାଇଁ ଶୀଘ୍ର ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଅନ୍ୟପକ୍ଷରେ ବ୍ରିଟିସ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ମାଣ୍ଡେଲସନଙ୍କ ନିଯୁକ୍ତିକୁ ନେଇ ବିବାଦର ସମ୍ମୁଖୀନ ହୋଇଛନ୍ତି। ନରୱେରେ ପୂର୍ବତନ ପ୍ରଧାନମନ୍ତ୍ରୀ ଥୋରବଜର୍ନ ଜଗଲ୍ୟାଣ୍ଡଙ୍କ ବିରୋଧରେ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ ହୋଇଛି। ନରେୱ ରାଜପରିବାର ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି। ରାଜକୁମାରୀ ମେଟେ ମାରିଟ୍‌ଙ୍କ ନାଁ ଏପ୍‌ଷ୍ଟିନ୍‌ ଫାଇଲରେ ଅତିକମ୍‌ରେ ୧୦୦୦ ଥର ବ୍ୟବହାର ହୋଇଛି। ଏପ୍‌ଷ୍ଟିନ୍‌ ଫାଇଲରେ ନାଁ ଆସିବା ଯୋଗୁ ସ୍ଲୋଭାକିଆର ପୂର୍ବତନ ବିଦେଶ ମନ୍ତ୍ରୀ ମିରୋସ୍ଲାଭ ଲାଜକାକ୍‌ଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ସ୍ୱିଡେନରେ ଜାତିସଂଘ ଅଧିକାରୀ ଜୋଆନା ରୁବିନଷ୍ଟାଇନ ୨୦୧୨ ମସିହାରେ ଏପ୍‌ଷ୍ଟିନ୍‌ଙ୍କ କାରିବିଆନ ଦ୍ୱୀପ ଗସ୍ତରେ ଯାଇଥିବା ଜଣାପଡ଼ିବା ପରେ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: Trade Agreements: ୫୦୦ ବିଲିଅନ୍‌ ଡଲାର ଆମେରିକୀୟ ସାମଗ୍ରୀ ଆସିବାରେ ଅସୁବିଧା ନାହିଁ: ଗୋୟଲ