ୱାସିଂଟନ୍‌: ସର୍ବା‌ଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ପାଇଁ ଆମେରିକାରେ ଭୟଙ୍କର ସ୍ଥିତି ଉପୁଜିଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ‌ଏବେ ୧ ଲକ୍ଷରୁ ଅଧିକ ରହୁଛି। ଆମେରିକାରେ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଆଜି ୧ ଲକ୍ଷ ୪୪ ହଜାର ମାମଲା ସାମ୍ନାକୁ ଆସିବା ପରେ କଟକଣା ବଢ଼ାଯାଇଛି। ତେଣୁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ମାସ୍କ ପିନ୍ଧିବାପାଇଁ କୁହାଯାଇଛି। ଆମେରିକାରେ ପ୍ରାୟ ୯୭ ପ୍ରତିଶତ ହସ୍ପିଟାଲ୍‌ରେ ଥିବା ରୋଗି ଟିକା ନେଇନାହାନ୍ତି। ଡେଲ୍‌ଟା ପାଇଁ, ଆମେରିକାର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ହୋଇଛି। ବିଭନ୍ନ ସ୍ଥାନରେ ନୂଆ ମାମଲା ବଢ଼ିଛି। ଜୁନ୍‌ ତୁଳନାରେ ଦୈନିକ ସଂକ୍ରମଣ ମାମଲା‌ରେ ୧୦ ଗୁଣା ବୃଦ୍ଧି ହୋଇଛି।

Advertisment

ଆମେରିକାରେ ଗତକାଲି ଦୈନିକ ସଂକ୍ରମଣ ମାମଲା ୯୯ ହଜାରରୁ ଅଧିକ ଥିଲା। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୫,୬୮୮,୫୦୬ ପହଞ୍ଚିଛି ଏବଂ ୬୨୯,୦୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧୯୮,୧୭୮, ୫୦୨କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ୪,୨୨୮,୦୭୦ରେ ପହଞ୍ଚିଛି। ଆମେରିକା ସହ ବ୍ରିଟେନ୍‌ରେ ମଧ୍ୟ ଡେଲ୍‌ଟା ପାଇଁ ଭୟଙ୍କର ଭାବେ ସଂକ୍ରମଣ ବଢ଼ୁଛି। ବ୍ରିଟେନ୍‌ରେ ମଧ୍ୟ ସମସ୍ତ ନୂଆ ମାମଲାର କାରଣ ଡେଲ୍‌ଟା। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆମେରିକାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଟିକାକରଣ ପାଇଁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ସମସ୍ତ ରାଜ୍ୟ ଏବଂ ସ୍ଥାନୀୟ ସରକାର ସମ୍ପୂର୍ଣ୍ଣ ଡୋଜ୍‌ ଟିକା ନେଇଥିବା ଲୋକଙ୍କୁ ୧୦୦ ଡଲାର ପୁରସ୍କାର ଦିଅନ୍ତୁ ବୋଲି ବାଇଡେନ୍‌ କହିଛନ୍ତି।