ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ନିପାତ କଲା ଭାରତୀୟ ସେନା

ଜମ୍ମୁ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯେଉଁ ଅପରେସନ ବା ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ସେନାବାହିନୀକୁ ବଡ ସଫଳତା ମିଳିଛି । ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ ପରେକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ । ଏହାସହ ପୂରା ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବାହିନୀ । ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି କଶ୍ମୀର ଆଇଜିପି । ତେବେ ଏହି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲୋକେ  ଭାରତ ମାତା କି ଜୟ ନାରା ଲଗାଇଥିଲେ ।

ଏହାପୂର୍ବରୁ ସୋମବାର ସକାଳୁ ବିଏସଏଫ ଯବାନମାନେ ସୀମା ସେପାରିରୁ ହେଉଥିବା ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଥିଲା । ଶତ୍ରୁ ଦେଶରୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରୁଥିବା ବେଳେ ଅରନିଆ ସେକ୍ଟରରେ ଜଣେ ଅନୁପ୍ରବେଶକାରୀକୁ ବିଏସଏଫ ଯବାନମାନେ ନିପାତ କରିଥିଲେ । ନିପାତ ହୋଇଥିବା ଅନୁପ୍ରବେଶକାରୀ ଜଣକ ପାକିସ୍ତାନର ମହମ୍ମଦ ସବୀର ମଲିକ ବୋଲି ଜଣାପଡିଥିଲା । ମୃତଦେହ ପାଖରୁ ଏକେ-୪୭ ବନ୍ଧୁକ ସହ ୭ଟି ଗ୍ରେନେଡ ଜବତ କରାଯାଇଥିଲା ।

ଏହି ଘଟଣା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ, ସୀମା ସେପାରିରୁ ପୁଣିଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କଲାଣି ପାକିସ୍ତାନ । ଯେଉଁଥିପାଇଁ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରୁଛନ୍ତି । ତେବେ ଏନେଇ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର