କାବୁଲ: ତାଲିବାନ ଗତକାଲି ନୂଆ କାମଚଳା ସରକାର ଘୋଷଣା କରିଛି। ୩୩ ଜଣ ସଦସ୍ୟଙ୍କୁ ନେଇ ଘୋଷିତ ହୋଇଥିବା ଏହି ମନ୍ତ୍ରିମଣ୍ଡଳରେ ୧୪ ଜଣ ଆତଙ୍କବାଦୀ ରହିଥିବା କୁହାଯାଉଛି। ପୂର୍ବରୁ ଜାତିସଂଘ ଦ୍ବାରା ଘୋଷିତ ଆତଙ୍କବାଦୀ ସରକାରରେ ସ୍ଥାନ ପାଇଛନ୍ତି। ତାଲିବାନ ସଦସ୍ୟ ଏବଂ ସେମାନଙ୍କ ଘନିଷ୍ଠ ସହଯୋଗୀ ସରକାରରେ ରହିଛନ୍ତି। ଆମେରିକା ବିଦେଶ ବିଭାଗ ଏଥିପାଇଁ ଘୋର ଚିନ୍ତାବ୍ୟକ୍ତ କରିଛି। ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆମେରିକା ତାଲିବାନକୁ ଏହାର କଥାରେ ନୁହେଁ ବରଂ କାର୍ଯ୍ୟରେ ପରଖିବ। ସମଗ୍ର ବିଶ୍ବ ତାଲିବାନର କାର୍ଯ୍ୟ ଉପରେ ନଜର ରଖିଛି। ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ଜାତିସଂଘ କଳାତାଲିକାରେ ଅଛନ୍ତି। ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀକୁ ଆମେରିକା ଦ୍ବାରା ଆତଙ୍କବଦୀ ବିବେଚନା କରାଯାଇଛି। ଏଫ୍ବିଆଇ ମୋଷ୍ଟ୍ ୱାଣ୍ଟେଡ୍ ଲିଷ୍ଟ୍ରେ ସେ ଅଛନ୍ତି। ତାଙ୍କ ମୁଣ୍ଡରେ ୭୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।
ଅନ୍ୟପକ୍ଷରେ କୌଣସି ମହିଳାଙ୍କୁ ତାଲିବାନ ସରକାରରେ ସ୍ଥାନ ମିଳିନି। ସରକାରରେ କୌଣସି ମହିଳା ନଥିବାରୁ ତାଲିବାନ ବିରୋଧରେ ମହିଳାମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସରକାରରେ ସବୁ ବର୍ଗର ଲୋକଙ୍କୁ ସ୍ଥାନ ମିଳି ନଥିବାରୁ ବିଭିନ୍ନ ସହରରେ ଆନ୍ଦୋଳନ ହୋଇଛି। ମଙ୍ଗଳବାର କାବୁଲ ଏବଂ ହେରତରେ ନୂଆ ସରକାରକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା। ତେବେ ଆନ୍ଦୋଳନ ସମୟରେ ତାଲିବାନର ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଏହା କେବଳ କାମଚଳା ସରକାର। ସ୍ଥାୟୀ ନୁହେଁ। କିନ୍ତୁ ମହିଳାଙ୍କୁ ସରକାରରେ ସ୍ଥାନ ଦିଆଯିବା ନେଇ ପୂର୍ବରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/45fsh4sf98h4sfh4sf1h32s1fhsf654h56sf456fshfhfhfhfh.jpg)