ସୁରକ୍ଷାରେ ତ୍ରୁଟି, ୨୦ ମିନିଟ୍ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାର୍‌: ଫ୍ଲାଏଓଭରରେ ଫସିଲେ ମୋଦୀ, ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ

ଜୀବିତ ଫେରିଛି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦେବ : ମୋଦୀ

ନୂଆଦିଲ୍ଲୀ : ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବୁଧବାର ଦିନ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତା ଉପରେ ଚ‌ାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ତାଙ୍କର କାରକେଡ୍ ଫ୍ଲାଏଓଭରରେ ୨୦ ମିନିଟ ପର୍ଯ୍ୟନ୍ତ ଅଟକି ଥିଲା। ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟକ୍ରମ ବାତିଲ କରି ଫେରିଯାଇଛନ୍ତି। ନିକଟ ଅତୀତରେ କୌଣସି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏଭଳି ଢିଲାପଣ କେବେ ଦେଖାଯାଇନଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି।
କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ଏସଂପର୍କରେ ପଞ୍ଜାବ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କାହିଁକି ଏପରି ତ୍ରୁଟି ଦେଖାଦେଲା? ଏସଂପର୍କରେ ରିପୋର୍ଟ ତଲବ କରିବା ସହିତ ଏଥିପାଇଁ ଦାୟୀ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଲାଗି ବିଜେପି ପଞ୍ଜାବର କଂଗ୍ରେସ ସରକାରକୁ ଦାୟୀ କରିଛି। ପାର୍ଟି କହିଛି ଯେ ବିକ୍ଷୋଭକାରୀଙ୍କ ସହିତ ମିଶି ରାଜ୍ୟ ପୁଲିସ ଏଭଳି କାଣ୍ଡ କରିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ଚନ୍ନି ଇସ୍ତଫା ଦିଅନ୍ତୁ। ତେବେ କଂଗ୍ରେସ ପକ୍ଷରୁ ଏହି ଅଭି‌ଯୋଗକୁ ଖଣ୍ଡନ କରାଯାଇଛି। କୁହାଯାଇଛି ଯେ ମୋଦୀଙ୍କ ଗସ୍ତ ଲାଗି ରାଜ୍ୟ ପୁଲିସ ଉଚିତ ସୁରକ୍ଷା ବ୍ୟବସ୍ଥା କରିଥିଲା। କିନ୍ତୁ ଫିରୋଜପୁର ରାଲିରେ ବେଶି ଲୋକ ନଥିବାରୁ ସୁରକ୍ଷା ବାହାନାରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବର ଫିରୋଜପୁରରେ ବୁଧବାର ଦିନ ବିଜେପିର ଏକ ରାଲି କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେବା ଲାଗି ସେ ବୁଧବାର ସକାଳେ ଭଟିଣ୍ଡା ବିମ‌ାନଘାଟୀରେ ଅବତରଣ କରିଥିଲେ। ପୂର୍ବ ନିର୍ଧ‌ାରିତ ସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ସେଠାରୁ ହେଲିକପ୍ଟରରେ ଫିରୋଜପୁର ଯିବାର ଥିଲା। ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟରରେ ଯିବ‌ା ସମ୍ଭବ ନଥିଲା। ତେଣୁ କାରରେ ସଭାସ୍ଥଳକ ଯିବାକୁ ଶେଷ ମୁହୂର୍ତରେ ସ୍ଥିର ହୋଇଥିଲା। ପ୍ରଧାନମନ୍ତ୍ରୀ କାରରେ ଯାଉଥିବା ବେଳେ ତାଙ୍କ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ ଫିରୋଜପୁରର ଏକ ଫ୍ଲାଏଓଭର ସଂଲଗ୍ନ ରାସ୍ତାକୁ ହଠାତ୍‌ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ତାଙ୍କ କାର ଆଗକୁ ବଢ଼ିପାରିନଥିଲା। କାର୍‌କେଡ୍‌ ଏହି ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ୍‌ ଧରି ଫସି ରହିଥିଲା। ସୁରକ୍ଷାକୁ ନେଇ ଜଟିଳ ସ୍ଥିତି ଉପୁଜିବାରୁ ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟକ୍ରମ ବାତିଲ କରି ସେଠାରୁ ବିମାନ ବନ୍ଦରକୁ ଫେରିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ଏବଂ ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି। ଭଟିଣ୍ଡା ବିମାନବନ୍ଦରକୁ ଫେରିବା ପରେ ସେ ଅଫିସରମାନଙ୍କୁ କଟାକ୍ଷ କରି କହିଥିଲେ-‘ଏୟାରପୋର୍ଟରେ ମୁଁ ଜୀବିତ ପହଞ୍ଚିଗଲି, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦିଅନ୍ତୁ।’

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ବଡ଼ ଧରଣର ତ୍ରୁଟିକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଏଭଳି ଚରମ ଅବ୍ୟବସ୍ଥା ପାଇଁ ଯେଉଁମାନେ ଦାୟୀ‌ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ ସଂପର୍କରେ ପଞ୍ଜାବ ପୁଲିସ ଭଲଭାବେ ଅବଗତ ଥିବା ବେଳେ ସେମାନେ ଆନ୍ଦୋଳନକାରୀଙ୍କ ସହିତ ସଲାସୁତରାରେ କାମ କରିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ପଞ୍ଜାବ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ପ୍ରଧାନମନ୍ତ୍ରୀ ଯେଭଳି ରାଲି ସ୍ଥଳରେ ପହଞ୍ଚି ନପାରିବେ ସେଥିପାଇଁ ଆନ୍ଦୋଳନକାରୀମାନେ ଯୋଜନାବଦ୍ଧ ଉଦ୍ୟମ କରିଥିଲେ ଏବଂ ପଞ୍ଜାବ ସରକାରଙ୍କ ଢିଲା ନୀତି ସେମାନଙ୍କୁ ସୁହାଇଥିଲା ବୋଲି ବିଜେପି କହିଛି। ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ପହଞ୍ଚିବା ପୂର୍ବରୁ ଆନ୍ଦୋଳନକାରୀଙ୍କ ଭିଡ଼କୁ ହଟାଇବା ଦିଗରେ ପୁଲିସ ପଦକ୍ଷେପ ନେଇନଥିଲା। ପ୍ରଧାନମନ୍ତ୍ରୀଙ୍କୁ ଫେରିଯିବା ପାଇଁ ଏକପ୍ରକାର ବାଧ୍ୟ କରିବାରେ ରାଜ୍ୟ ସରକାରଙ୍କର ମଧ୍ୟ ହାତ ରହିଛି ଏବଂ ଏହା କଦାପି ଗ୍ରହଣଯୋଗ୍ୟ ନୁହେଁ। ଏ‌େକ୍ଷତ୍ରରେ ମୁଖ୍ୟମନ୍ତ୍ରୀ ଆଦୌ ସହଯୋଗ କରି ନାହାନ୍ତି ବୋଲି ବିଜେପି ସଭାପତି ନଡ୍ଡ‌ା କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ‌ କୌଣସି ଢିଲାପଣ ନଥିଲା। ଶେଷ ମୁହୂର୍ତରେ ପ୍ରଧାନମନ୍ତ୍ରୀ କାରରେ ଯିବାକୁ ସ୍ଥିର କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନଥିଲେ। ଏଥିଲାଗି ରାଜ୍ୟର କୌଣସି ପୁଲିସ ଅଧିକାରୀ ଦାୟୀ ନୁହନ୍ତି।

ସମ୍ବନ୍ଧିତ ଖବର