ବିରଳ ଘଟଣା : ଏକା ସଙ୍ଗେ ଦୁଇଟି ଆଗ୍ନେୟଗିରିରୁ ଉଦଗୀରଣ

ହାଓ୍ବାଇ : ସୋମବାରଦିନ ହାଓ୍ବାଇର ମୌନାଲୋଆ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ ଆରମ୍ଭ ହେବା ପରେ ଏକ ବିରଳ ଘଟଣା ଘଟିଛି । ତାହା ହେଉଛି ଦୁଇଟି ଆଗ୍ନେୟଗିରିରୁ ଏକାସମୟରେ ଅଗ୍ନି ଉଦଗୀରଣ । ମୌନାଲୋଆଠାରୁ ମାତ୍ର ୨୧ କିଲୋମିଟର ଦୂରରେ ଥିବା କିଲାଇ ଆଗ୍ନେୟଗିରିରୁ ଗତ କିଛି ବର୍ଷ ହେଲା ଅଗ୍ନି ଉଦଗୀରଣ ହୋଇଚାଲିଛି ।

ହାଓ୍ବାଇ ଭୋଲକାନୋ ନ୍ୟାସନାଲ ପାର୍କର ସୂଚନା ଅନୁସାରେ ଏହି ବିରଳ ଘଟଣାକୁ ଦେଖିବାକୁ ଅନେକ ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି ।

ପାଖାପାଖି ଥିବା ଦୁଇଟି ଆଗ୍ନେୟଗିରି ସକ୍ରିୟ ହେବା ବିରଳ ହେଲେ ବି ପୂର୍ବରୁ ଥରେ ଏହାର ନଜିର ରହିଛି । ତାହା ହେଉଛି ୨୦୦୫ରେ ରୁଷର କାମଚଟକା ମାଳଭୂମିରେ ଥିବା ଦୁଇଟି ଆଗ୍ନେୟଗିରି- କ୍ଲିଉଚେକସ୍କି ଓ ସିଭେଲୁକରୁ ଏକା ସମୟରେ ଉଦଗୀରଣ ହୋଇଥିଲା ।

ମୌନା ଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି ବୋଲି କୁହାଯାଏ । ମୌନା ଲୋଆର ଉଚ୍ଚତା ସମୁଦ୍ର ପତ୍ତନରୁ ପ୍ରାୟ ୪୧୬୯ ମିଟର । ସ୍ଥାନୀୟ ପ୍ରଶାସନ ଅନୁସାରେ ବର୍ତ୍ତମାନ ଲାଭା କେବଳ ପର୍ବତର ଉପର ଅଂଚଳରେ ସୀମିତ ରହିଛି । ତେବେ ପ୍ରଶାସନ ପକ୍ଷରୁ ଜାରି ସତର୍କସୂଚନାରେ କୁହାଯାଇଛି ଯେ, ପୂର୍ବରୁ ହୋଇଥିବା ଉଦଗୀରଣକୁ ଲକ୍ଷ୍ୟ କରି କୁହାଯାଇପାରେ ଯେ, ଲାଭା ଯେକୌଣସି ସମୟରେ ତଳକୁ ଗତି କରି ଜନବସତିରେ ପ୍ରବେଶ କରିପାରେ । ଏଣୁ ଲୋକମାନେ ସତର୍କ ରହିବା ଉଚିତ ।

 

ସମ୍ବନ୍ଧିତ ଖବର