ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲ୍କିୟାରା ସୁଡଙ୍ଗ (ଟନେଲ)ରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟା ସୁଦ୍ଧା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ରଖାଯାଇଛି।
ଏପଟେ ଏହି ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ପରିବାର ଲୋକ ନିଜ ଲୋକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଅଖଣ୍ଡଦ୍ବୀପ ଜାଳି ଉପବାସରେ ବସିଛନ୍ତି।
ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରର କ୍ଷୀରିର ନିଘାସନ ଅଞ୍ଚଳର ଭେରନପୁର ମାଞ୍ଝା ଗାଁର ବାସିନ୍ଦା ଚୌଧୁରୀଙ୍କ ଘରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। କାରଣ କିଛି ଦିନ ପୂର୍ବରୁ ତାଙ୍କ ପୁଅ ମଞ୍ଜିତ ଉତ୍ତରପ୍ରଦେଶର ଟନେଲରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ଏହାପରେ ନଭେମ୍ବର ୧୨ରେ ପୁଅ ୪୧ଜଣ ଶ୍ରମିକଙ୍କ ସହିତ ସୁଡ଼ଙ୍ଗ ଭିତରେ ଫସି ଯାଇଥିବାର ଖବର ମିଳିଥିଲା।
ଦୁର୍ଘଟଣାର ଖବର ପାଇବା ମାତ୍ରେ ପରିବାରଲୋକ ଉତ୍ତରାଖଣ୍ଡରେ ପହଞ୍ଚିଥିଲେ। ସେହିଦିନ ଠାରୁ ପରିବାର ତଥା ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟମାନେ ମଞ୍ଜିତଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ କ୍ରମାଗତ ଭାବରେ ଅପେକ୍ଷା କରି ରହିଛନ୍ତି।
ମଞ୍ଜିତଙ୍କର ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ। ସେ କେବଳ ଗୋଟିଏ କଥା ଶୁଣିବାକୁ ଜଗି ବସିଛନ୍ତି କି କେତେ ବେଳେ କେହି ଜଣେ ଆସିବେ ଆଉ କହିବ କି ତାଙ୍କ ପୁଅ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଇଛି।
ମଞ୍ଜିତଙ୍କ ମା’ ଏହି ଦୁର୍ଘଟଣାକୁ ନେଇ କାନ୍ଦିକାନ୍ଦି କହିଛନ୍ତି, ‘ ମୋର ଦୁଇପୁଅ। ବଡ଼ପୁଅର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସାନପୁଅକୁ ଦେଖି ମୁଁ ଦିନକାଟୁଛି। ଯେଉଁଦିନ ଠାରୁ ଏଖବର ଶୁଣିଛି ମୁଁ ସ୍ଥାଣୁ ପାଲଟି ଯାଇଛି। ମୋ ସାନପୁଅ ସୁରକ୍ଷିତ ଭାବେ ଉଦ୍ଧାର ହେଉ ଏହାହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। ଭଗବାନଙ୍କୁ ଏତିକି କହିବି, ‘ପ୍ରଭୁ ମୋ କୋଳ ଶୂନ୍ୟ କରିବ ନାହିଁ। ନଚେତ ମୋ ଜୀବନ ଚାଲିଯିବ।’