ଉଚ୍ଚ ଜାତିର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଉଚ୍ଚ ଜାତିର ଗରିବଙ୍କ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ମଙ୍ଗଳବାର ଲୋକସଭାରେ ପାସ ହୋଇଯାଇଛି। ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ ବିଲ ପାସ କରିଛନ୍ତି। ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ରାତି ୯ଟା ୫୫ରେ ଭୋଟିଂ ହୋଇଥିଲା।

ଭୋଟିଂରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡ଼ିଥିଲା। ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ଆଜି ସନ୍ଧ୍ୟା ୫ଟାରେ ଆଲୋଚନା ହେବା ପରେ ବିଧେୟକ ଉପରେ ରାତି ୯ଟା ୫୫ରେ ଭୋଟିଂ ଆରମ୍ଭ ହୋଇଥିଲା। ଏବେ ସରକାରଙ୍କ ନଜର ରାଜ୍ୟସଭା ଉପରେ ରହିବ। ବୁଧବାର ଏହାରି ଉପରେ ଆଲୋଚନା ହେବ।

ଏହି ବିଧେୟକ ଉପରେ ସନ୍ଧ୍ୟା ୫ଟାରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଥାବରଚନ୍ଦ୍ର ଗହଲୋତ କହିଥିଲେ, ଘରୋଇ ଶିକ୍ଷା ପ୍ରତିଷ୍ଠାନରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏହା ପରେ ସେ ସମସ୍ତ ଦଳକୁ ସମର୍ଥନ ମାଗିଥିଲେ। ଏଆଇଡିଏମ୍‌କେ ସଦସ୍ୟମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ। ଲୋକସଭାର କାର୍ଯ୍ୟକାଳ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରାଯାଇଛି।

ସମ୍ବନ୍ଧିତ ଖବର